ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ ଫିରୋଜ ଶାହ କୋଟଲା ଷ୍ଟାଡିୟମ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ପୁନଃନାମିତ କରାଯାଇ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ରଖାଯିବ । ଦିଲ୍ଲୀ ଏବଂ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ପକ୍ଷରୁ ମଙ୍ଗଳବାର ଦିନ ଏହି ସୂଚନା ଦିଆଯାଇଛି। ଜେଟଲୀ ଏହି କ୍ରିକେଟ ଆସୋସିଏଶନର ପୂର୍ବତନ ସଭାପତି ଥିଲେ। ଜେଟଲୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସୋସିଏଶନ ଏଭଳି ପଦକ୍ଷେପ ନେଇଛି।

ଅରୁଣ ଜେଟଲୀଙ୍କ ସମର୍ଥନ ଏବଂ ଉତ୍ସାହ ବଳରେ ବିରାଟ କୋହଲି, ବିରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଆଶିଷ ନେହରା, ଋଷଭ ପନ୍ତଙ୍କ ଭଳି ଅନେକ ଖେଳାଳି ଭାରତ ଏବଂ ଭାରତୀୟ କ୍ରିକେଟ ଦଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ଜେଟଲୀ ଡିଡିସିଏର ସଭାପତି ଥିବାବେଳେ ଫିରୋଜ ଶାହ କୋଟଲା ଷ୍ଟାଡିୟମର ନବୀକରଣ କରାଯାଇଥିଲା। ଏଠାରେ ବିଶ୍ଵସ୍ତରୀୟ ଡ୍ରେସିଂ ରୁମ୍‌ ସହିତ ବିଭିନ୍ନ ଆଧୁନିକ ସୁବିଧା କରାଯାଇଥିବାବେଳେ ଏହାର କ୍ଷମତା ମଧ୍ୟ ବୃଦ୍ଧି ହୋଇଥିଲା।
ତେବେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଷ୍ଟାଡିୟମର ପୁନଃନାମକରଣ କରାଯିବ। ଏହି ଅବସରରେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ କରାଯିବ।

Leave a Reply

Your email address will not be published. Required fields are marked *