ଅନାଥ ରୋଗାଗ୍ରସ୍ତ ବାଳକ ପାଇଁ ଦେବଦୂତ ସାଜିଲେ ଡାକ୍ତର

ମାଲକାନଗିରି,୧୭।୯ (ଗୁରୁ ସାହୁ) : ଜଣେ ଅନାଥ ରୋଗାଗ୍ରସ୍ତ ବାଳକ ପାଇଁ ଦେବଦୂତ ସାଜିଛନ୍ତି ଜଣେ ଡାକ୍ତର। ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ନୂଆଗୁଡ଼ାରେ ଏପରି ଜଣେ ଡାକ୍ତରଙ୍କ ମହନୀୟତା ଦେଖିବାକୁ ମିଳିଛି। ଗାଁର ରାସ୍ତା ଖରାପ ଥିବା ଯୋଗୁଁ ଜଣେ ଗୁରୁତର ରୋଗୀଙ୍କୁ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର କାନ୍ଧରେ ବୋହି ୫ କିଲୋମିଟର ଆଣିଥିଲେ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ନୂଆଗୁଡ଼ା ଅଞ୍ଚଳର ଜଣେ ଅନାଥ ବାଳକ କମୁଲୁ କିର୍ଷାନି ଅସୁସ୍ଥ ହୋଇପଡ଼ିଥିଲା। ଏହାଦେଖି ଗାଁ ଲୋକେ ସୋମବାର ଆରୋଗ୍ୟ ପ୍ଲସ୍‌ ଟିମ୍‌କୁ ଖବର ଦେଇଥିଲେ। ଗାଁକୁ ଚଲା ପଥ ନ ଥିବାରୁ ଖବର ପାଇ ଡାକ୍ତରୀ ଟିମ୍ ବହୁ କଷ୍ଟରେ ଉକ୍ତ ଗାଁରେ ପହଞ୍ଚିଥିଲେ। ସେଠାରେ କମୁଲୁର ଅବସ୍ଥା ଗୁରୁତର ଥିବା ଦେଖି ଆରୋଗ୍ୟ ପ୍ଲସ ଟିମ୍‌ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସି ନପାରି ୫ କିଲୋମିଟର ଦୂର ବାଲିବାଡ଼ିରେ ରହିଥିଲା।

ତେବେ ପିଲାଟିର ବାପା-ମାଆ କେହି ନଥିବାରୁ ଆରୋଗ୍ୟ ପ୍ଲସ ଟିମ୍‌ ଓ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର କମୁଲୁକୁ ଏକ ଖଟିଆରେ ବୋହି ବୋହି ଆଣିଥିଲେ। ଏଥିରେ ଆମ୍ୱୁଲାନ୍ସ ଡ୍ରାଇଭର ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲେ। ପାହାଡ଼ିଆ ରାସ୍ତା ଓ ନଦୀ ନାଳ ପାର ହୋଇ କମୁଲୁକୁ କାନ୍ଧରେ ବୋହି ବୋହି ବାଲିବାଡ଼ିରେ ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ସେଠାରୁ ତାକୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *