ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର,୨୬।୯- ଆର୍‌ଟିଓ କାର୍ଯ୍ୟାଳୟକୁ ୧୫ ଦିନ ମଧ୍ୟରେ ଆର୍‌ଟିଓ ଅଫିସଗୁଡ଼ିକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବିଭିନ୍ନ ଜିଲାର ଜିଲାପାଳ, ଏସ୍‌ପି ଏବଂ ଆର୍‌ଟିଓମାନଙ୍କ ସହ ଆଲୋଚନା କରି ଏହି ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ ଲାଗୁଛି। ଏହାର ଫାଇଦା ଉଠାଉ ବିଭିନ୍ନ କାର୍ଯ୍ୟ କରାଇଦେବା ନାମରେ ଦଲାଲମାନେ ସାଧାରଣଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ଏହି ଭିଡିଓ କନଫ୍ରେନସିଂରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗାଡ଼ିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଆର୍‌ଟିଓ ଅଫିସ ଗୁଡ଼ିକରେ ଅଧିକ କାଉଣ୍ଟର ଖୋଲାଯିବା ସହ ଗ୍ରାମାଞ୍ଚଳରେ ଶିବିରମାନ ଆୟୋଜନ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସଡ଼କ ସୁରକ୍ଷା ତଥା ଟ୍ରାଫିକ୍‌ ଆଇନ ସମ୍ପର୍କରେ ଜନସଚେତନତା କଲେ ସଡକ ଦୁର୍ଘଟଣାକୁ ରୋକାଯାଇପାରିବ। ଏଣୁ ସ୍କୁଲ, କଲେଜଠାରୁ ଆରମ୍ଭ କରି ରାସ୍ତାମାନଙ୍କରେ ଲୋକଙ୍କୁ ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *