ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ

କେନ୍ଦୁଝର, ୨୭।୯ : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗହଳମୁଣ୍ଡା ପଞ୍ଚାୟତ କନ୍ତଳା ଗ୍ରାମରେ ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ବାରଙ୍ଗୀ ପୂର୍ତ୍ତି। ଅଭିଯୁକ୍ତ ନାଁ କାର୍ତ୍ତିକେଶ୍ବର ବୀରୁଆ।

ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ବାରଙ୍ଗୀ ଘରକୁ ଆସୁଥିବା ବେଳେ ନିଛାଟିଆ ରାସ୍ତା ଦେଖି କାର୍ତ୍ତିକେଶ୍ବର ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାରଙ୍ଗୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଭଣଜାକୁ ଅଟକ ରଖିଛି ।

ଗୁରୁବାର ସନ୍ଧ୍ୟାରେ ଉଭୟ ବାରଙ୍ଗୀ ଓ କାର୍ତ୍ତିକେଶ୍ବର ମଦ ପିଇବାକୁ ନିକଟସ୍ଥ ବଜାରକୁ ଯାଇଥିଲେ । ମଦ ପିଇବା ପରେ ବାରଙ୍ଗୀକୁ ଏକ ଟାଙ୍ଗିଆରେ କାର୍ତ୍ତିକେଶ୍ବର ହତ୍ୟା କରିଥିବା ଜଣାପଡିଛି । ତେବେ ସେ ନିଜ ମାଇଁକୁ ଡାହାଣୀ ସନ୍ଦେହରେ ହତ୍ୟା କରିଥିବା ପୋଲିସ ଆଗରେ ପ୍ରକାଶ କରିଛି । ସୂଚନା ଅନୁସାରେ, କାର୍ତ୍ତିକେଶ୍ବରର ଶିଶୁପୁତ୍ର କାନ୍ଦିବାରୁ ବାରଙ୍ଗୀ ଆସି ଝଡାଫୁଙ୍କା କରିଥିଲା । ତେବେ ଏଥିରେ ଶିଶୁଟିର କାନ୍ଦ କମିନଥିଲା । ପରେ ବାରଙ୍ଗୀ ହିଁ ଏଥିଲାଗି ଦାୟୀ ବୋଲି କିଛି ଲୋକ କହିବାରୁ କାର୍ତ୍ତିକେଶ୍ବରର ରାଗ ଚଢିଯାଇଥିଲା । ଏଥିଲାଗି ଗୁରୁବାର ସନ୍ଧ୍ୟାରେ ତାକୁ ମଦ ପିଆଇବାକୁ ନେବା ସହ ତାକୁ ହତ୍ୟା କରିଦେଇଥିଲା ବୋଲି ଅଭିଯୁକ୍ତ ସ୍ବୀକାର କରିଛି ।

Leave a Reply

Your email address will not be published. Required fields are marked *