ନୀଳଗିରି ବିଧାୟକ ଓ ତହସିଲଦାରଙ୍କ କଥା କଟାକଟିକୁ ନେଇ ଉତ୍ତେଜନା

ବାଲେଶ୍ବର, ୪।୧୦ : ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁ ଶୁକ୍ରବାର ଦିନ ମୁହାଁମୁହିଁ ହୋଇଛନ୍ତି। ତହସିଲ କଚେରି ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏ ନେଇ ବିଧାୟକ ନାୟକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ନୀଳଗିରି କୋର୍ଟ ପରିସରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସୂଚନାରୁ ପ୍ରକାଶ ଯେ, କଚେରୀ ପରିସରରେ ମୋହରିଆମାନେ ଦୀର୍ଘଦିନ ହେବ ଚାଳିଆ କରି ବସୁଥିଲେ। ହେଲେ ଆଜି ସକାଳେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ନିର୍ଦ୍ଦେଶକ୍ରମେ ନୀଳଗିରି କଚେରୀ ପରିସରରେ ଥିବା ମୋହରିରଙ୍କ ଚାଳିଆକୁ ଜେସିବି ସାହାଯ୍ୟରେ ଭଙ୍ଗା ଯାଉଥିଲା। ଖବର ପାଇ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ପହଞ୍ଚି ମୋହରିରଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭଙ୍ଗା ବନ୍ଦ ହେବାପରେ ବିଧାୟକ ତହସିଲଦାରଙ୍କ ଦୁର୍ବ୍ୟବହାର ନେଇ ଉପଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ତାଙ୍କୁ ସମର୍ଥନ ଜଣାଇ ଓକିଲ ସଂଘ,ମୋହରୀର ସଙ୍ଘ,ସାଧାରଣ ଲୋକେ, ବ୍ୟବସାୟୀ ସଂଘ ମାନେ ଧାରଣା ଦେଇଛନ୍ତି।ଏପରିକି ଉତ୍ୟକ୍ତ ଲୋକମାନେ ତହସିଲ ଅଫିସ ଓ ଉପଜିଲ୍ଲାପାଳ ଅଫିସ ,ସବରେଜିଷ୍ଟର ଅଫିସରେ ତାଲା ମଧ୍ୟ ଝୁଲାଇବା ସହ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବ୍ୟାପକ ପୋଲିସ ମୃତୟନ ହୋଇଛି। ବାଲେଶ୍ବର ଉପଜିଲ୍ଲାପାଳ ବିଧାୟକଙ୍କୁ ଭେଟି ଆଲୋଚନା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *