ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ୱର,୨।୦୧: ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହଣ ପ୍ରାୟ ଘ୩.୦୦ମି ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜାନୁୟାରୀ ୨୬ତାରିଖ ଦିନ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ନିଆଲ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇବା ସହ ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ । ଏହାପରେ ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ଘ୪.୦୦ମି ସମୟରେ ସହରରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପରିବେଷଣ କରାଯିବ । ଏହାପରେ ଘ୭.୩୦ମି ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତୋଳନ, ଛାତ୍ର-ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ, ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତୋଳନ କରାଯିବ । ସକାଳ ଘ୮.୩୦ମି ସମୟରେ ପୁଲିସ ଲାଇନ ପଡିଆରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବା ସହିତ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରି ସମବେତ ଜନତାଙ୍କୁ ଉଦବୋଧନ ଦେବେ । ଏତଦବାତୀତ ପ୍ରାଚୀନ ସମରକଳା ପ୍ରଦର୍ଶନ, ବିଭାଗୀୟ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଏବଂ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ । ପରେଡରେ ଶ୍ରେଷ୍ଠ ବିବେଚିତ ଦଳମାନଙ୍କୁ ସିଲଡ ଓ କପ ପ୍ରଦାନ ବ୍ୟତୀତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବେ । ପରେଡରେ ଅଂଶଗ୍ରହଣ କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବିସ୍କୁଟ ଓ ଫଳ ବିତରଣ କରାଯିବ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ତେବାସୀଙ୍କୁ ଫଳ ବଂଟନ, ହେଣ୍ଡିକେପଡ ଓ୍ବେଲଫେୟାର ଇନଷ୍ଟିଚୁ୍ୟଟର ଛାତ୍ର-ଛାତ୍ରୀମାନଙ୍କୁ ବିସ୍କୁଟ ଓ କେକ ବଂଟନ, ଚିତ୍ରକଳା ପ୍ରଦର୍ଶନୀ, ପୁଷ୍ପ ପ୍ରଦର୍ଶନୀ, ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟ ଓ ପ୍ରୟାସ ଅନୁଷ୍ଠାନର ଛାତ୍ର-ଛାତ୍ରୀମାନଙ୍କୁ ବିସ୍କୁଟ ଓ କେକ ବଂଟନ, ବାମପଦା କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ବଂଟନ, ଉକ୍ରଳ ବାଳାଶ୍ରମର ଅନ୍ତେବାସୀମାନଙ୍କୁ ମଧ୍ୟାହ୍ନ ଭୋଜନ, ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ, ମୁ୍ୟଜିକ ଚେୟାର ଇତ୍ୟାଦି ଅନୁଷ୍ଠିତ ହେବ । ସେହିପରି ସାଧାରଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ଝୋଟି ପ୍ରତିଯୋଗିତା, ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ଜାନୁୟାରୀ ୨୨, ୨୩ ଏବଂ ୨୪ତାରିଖ ଦିନ ପୁଲିସ ଲାଇନ ପଡିଆରେ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ । ଆପତକାଳୀନ ଚିକିତ୍ସା, ଅଗ୍ନିଶମ ସେବା ବ୍ୟବସ୍ଥା ସମେତ ଉତ୍ସବର ସୁଚାରୁ ପରିଚାଳନା ଏବଂ ସଫଳ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସଙ୍ଗଠନର କର୍ମକର୍ତାମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଗାନ୍ଧୀସ୍ୃତି ଭବନଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗୋବିନ୍ଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ଗଣମାଧ୍ୟମର ପ୍ରତିନିଧି, ବରିିଷ୍ଠ ନାଗରିକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସଫଳ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।