ଗର୍ଭବତୀଙ୍କ ହାତ ଭାଙ୍ଗି ଦେଲେ ଦବଙ୍ଗ ଫରେଷ୍ଟଗାର୍ଡ

ବାରିପଦା, ୨୧।୨: ( ସଂଜିତ କୁମାର ରଣଜିତ )  ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ଫେରିବା ବେଳେ ଜଣେ ୬୫ ବର୍ଷର ବୃଦ୍ଧାଙ୍କୁ ନିସ୍ତୁକ ମାଡମାରିଲେ ଫରେଷ୍ଟଗାର୍ଡ । କେବଳ ଏତିକି ନୁହଁ ଏହି ଦବଙ୍ଗ ଫରେଷ୍ଟଗାର୍ଡଙ୍କ ମାଡରେ ଜଣେ ଗର୍ଭବତୀ ମହିଳାଙ୍କ ହାତ ଭାଙ୍ଗିବା ସହ ତାଙ୍କୁ ଉଠବସ କରାଇବା ଭଳି ସଂଗୀନ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣିରେଞ୍ଜ ଅଂଚଳରୁ ।

ସୂଚନା ଅନୁସାରେ, ଦୁଧିଆଣିରେଞ୍ଜର ତାଟ  ବାର୍ହାପାଣପୋଷି ଗ୍ରାମରେ ଏକ କାଠ ଚୋରି ଘଟଣାକୁ କେନ୍ଦ୍ର କରି ଜନୈକା  ଫରେଷ୍ଟଗାର୍ଡ ନିଜର ମାନବିକତା ଭୁଲି ଜଣେ ୬୫ ବର୍ଷର ବୃଦ୍ଧା ଏବଂ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ନିସ୍ତୁକ ପିଟି ଲହୁଲୁହାଣ କରିବା ସହିତ ମହିଳାଙ୍କ ହାତଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଉଭୟ ଆହତଙ୍କୁ ପ୍ରଥମେ ତାଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାତରଣ କରାଯାଇଛି  । ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସେପଟେ ଫରେଷ୍ଟଗାର୍ଡକୁ କାର୍ଯ୍ୟରୁ ବହିଷ୍କାର ଦାବିରେ ଗ୍ରାମବାସୀ ଓ ପରିବାର ଲୋକ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ରେଞ୍ଜ ଅଫିସ ଘେରାଓ କରିଥିଲେ ।

Leave a Reply

Your email address will not be published. Required fields are marked *