ଶାରୀଶୁଆ ପାହାଡରେ କ୍ରାଇମ୍‌ବ୍ରାଞ୍ଚ ଚଢାଉ: ୫ ଖଣି ମାଫିଆ ଗିରଫ

ସୋର, ୨୩।୨: ( ତାଜୁଦ୍ଦିନ) କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ କରି ୫ ଖଣି ମାଫିଆଙ୍କୁ ଗିରଫ କରିଛି ।  ଏଥିସହ ଗୋଟିଏ ଟ୍ରକ୍‌ ସମେତ ୨ଟି ଟ୍ରାକ୍ଟର ଜବତ କରାଯାଇଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି  ।

ସୂଚନା ଅନୁସାରେ, ଶାରୀଶୁଆ ପାହାଡରେ ୧୪୪ ଧାରା ଲାଗୁ କରାଯାଇଥିବା ସତ୍ତ୍ୱେ ରାଜସ୍ବ ଅଧିକାରୀ ଓ ଜିଲା ପ୍ରଶାସନର କିଛି ଅଧିକାରୀଙ୍କୁ ହାତ କରି ବହୁ ଖଣି ମାଫିଆ ବେଆଇନ ଭାବେ ରାତି ଅଧିଆ ବ୍ଲାଷ୍ଟିଂ କରିବା ସହ ଟନ ଟନ ପଥର ଉତ୍ତୋଳନ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଟିମ୍‌ ଶନିବାର ସନ୍ଧ୍ୟାରେ ପାହାଡରେ ଲୁଚି ରହିଥିଲେ। ରାତିରେ ପ୍ରଥମେ ୭୭ ନଂ. ଏବଂ ପରେ ପରେ ଅନ୍ୟ ଖଣିରେ ମାଫିଆମାନେ ଖଣି ଖୋଳା ଆରମ୍ଭ କରିବା ପରେ ସେମାନେ ଚଢାଉ କରି ୫ଜଣଙ୍କୁ ଗିରଫ କରିଥିଲେ। ରବିବାର ସକାଳେ ଖଇରା ତହସିଲଦାର ପ୍ରଦୀପ ସାହୁ ଓ ଆଇଆଇସି ସୁବ୍ରତ ବେହେରା ପହଞ୍ଚି ଟିମ୍‌ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *