ଗାଡ଼ିମୋଟର ଯାଞ୍ଚ ନାଁରେ ମା ଭଉଣୀଙ୍କୁ କରାଯାଉଛି ଖରାପ ବ୍ୟବହାର: ସୁର

ଭୁବନେଶ୍ୱର, ୨।୩: ନୂଆ ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ହିଟଲରି ଶାସନ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍‌ଟିଓ କର୍ମଚାରୀ ମା ଭଉଣୀ ମାନଙ୍କ ପ୍ରତି ଅତି ଖରାପ ବ୍ୟବହାର କରୁଛନ୍ତି । ତୁରନ୍ତ ଏପରି ଜୁଲୁମ ବନ୍ଦ ନ ହେଲେ ରାଜ୍ୟବ୍ୟାପୀ ଆରଟିଓ ଅଫିସ, କମିଶନରେଟ ପୋଲିସ ଅଫିସ ଓ କେନ୍ଦ୍ର ସରକାରଙ୍କ ଅଫିସ ଘେରାଉ କରାଯିବ ବୋଲି କଂଗ୍ରେସ ନେତା ସୁର ରାଉତରାୟ ସୋମବାର ଦିନ ଭୂବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।

ବେକାରୀ ବଢ଼ିଛି, ନିଯୁକ୍ତି ନାହିଁ ଧମକ ଦେଇ ଟଙ୍କା ଆଦାୟ ଚାଲିଛି । ଆରଟିଓ ଅଫିସରେ କର୍ମଚାରୀ ନାହାଁନ୍ତି, ପାର୍କିଙ୍ଗ ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଏ ଫାଇନ ଏକପ୍ରକାର ଅତ୍ୟାଚାର । ଭୁଲ ଥିଲେ ବୁଝାଇ ସୁଝାଇ ସରକାର କାମ କରନ୍ତୁ ଏବଂ ଲୋକଙ୍କୁ ନିୟମ ମାନିବାକୁ ସରକାର ଅପିଲ କରନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ମନ୍ତ୍ରୀ, ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବନ୍ଦ କରିବାକୁ ସେ ଦାବି କରିଛନ୍ତି। ଅନ୍ୟ ରାଜ୍ୟରେ ଫାଇନ ହ୍ରାସ କରାଯାଇଥିବାରୁ ଓଡ଼ିଶାରେ ଏହାକୁ ଅନୁସରଣ କରାଯାଉ ବୋଲି ସୁର କହିଛନ୍ତି।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉତ୍ତମ ବ୍ୟବହାର ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଧନଜୀବନ ରକ୍ଷା ପାଇଁ ସମସ୍ତେ ନିୟମ ମାନିବା ଦରକାର ବୋଲି ପଦ୍ମନାଭ କହିଛନ୍ତି।

Leave a Reply

Your email address will not be published. Required fields are marked *