କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ,୧୦।୩:  ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଦଳର ଅସନ୍ତୁଷ୍ଟ ନେତା ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ସାହାଙ୍କୁ ଭେଟିବା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ କଂଗ୍ରେସ ହାଇକମାଣ୍ଡ ତଥା ଅନ୍ତରୀଣ ଅଧ୍ୟକ୍ଷା  ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ସିନ୍ଧିଆଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ଧୋକାର ରୂପ ଦେବା ସହ ତାଙ୍କୁ ଦଳରୁ ବହିଷ୍କୃତ କରିଛି । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସୋନିଆ ଗାନ୍ଧୀ ସିନ୍ଧିଆଙ୍କ ଇସ୍ତଫାକୁ ସଙ୍ଗେସଙ୍ଗେ ଗ୍ରହଣ କରିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସିନ୍ଧିଆଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦେଶ କଂଗ୍ରେସରୁ କିଛି ବିଧାୟକ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି । କଂଗ୍ରେସକୁ ସିନ୍ଧିଆଙ୍କ ଝଟକା ପରେ କମଲନାଥଙ୍କ ହାତରୁ ମଧ୍ୟ ପ୍ରଦେଶ ସରକାର ଖସିବା ଏକ ପ୍ରକାରର ନିଶ୍ଚିତ ହୋଇସାରିଛି । ସେପଟେ ଭାଜପା ଟିକଟରୁ ସେ ରାଜ୍ୟ ସଭାକୁ ଯିବେ ବୋଲି କୁହାଯାଉଛି। ଏହାପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ଭାଜପାରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *