ଆସନ୍ତାକାଲିଠାରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର, ମାର୍ଚ୍ଚ ୨୧: କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ୫ରୁ ଅଧିକ ଜିଲ୍ଲାର ସହର ଓ ସମସ୍ତ ଗ୍ରାମକୁ ଲକ୍‌-ଡାଉନ୍‌ ଘୋଷଣା କରିଛନ୍ତି। ଏହି ପାଞ୍ଚଟି ଜିଲ୍ଲା ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା । ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି ।

ଏହି ଲକ଼ ଡାଉନ ସମୟରେ କେବଳ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ ମଧ୍ୟ ଖୋଲା ରହିବ। ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ।  ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ । ଲୋକଙ୍କ ସ୍ବାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *