ଅଙ୍ଗନବାଡି କେନ୍ଦ୍ରରେ ଛତୁଆବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

ରେମୁଣା, ୦୨।୦୪: ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର କିଛି ଲୋକ ଏବଂ ଗନିପୁର ଗାଁର କିଛି ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ରେମୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାରୁ ପ୍ରକାଶ ଯେ, ଜଗନ୍ନାଥପୁରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଜଗନ୍ନାଥପୁର ଏବଂ ଗନିପୁରର ପିଲାମାନେ ପାଠ ପଢିଥାନ୍ତି । ତେବେ କରୋନା ପାଇଁ କରାଯାଇଥିବା ଦେଶ ବ୍ୟାପୀ ଲକ୍ ଡାଉନ ସମୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିଆଯାଉଥିବା ଛତୁଆ କର୍ମୀ ଜଣକ ନିଜ ଘରେ ବାଣ୍ଟୁଥିଲେ । ଏହା ନେବା ପାଇଁ ଗନିପୁର ଗାଁରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର କିଛି ଲୋକ ଜଗନ୍ନାଥପୁର ଆସିଥିଲେ । ତାଙ୍କୁ ଗ୍ରାମବାସୀମାନେ ଗାଁକୁ ପ୍ରବେଶ କରିବାରୁ ବିରୋଧ କରିବା ସହିତ ଗାଁର ମୁଖ୍ୟରାସ୍ତାରେ ବାଡ ଦେଇଥିଲେ । ଏହାକୁ ନେଇ ଉଭୟ ଗାଁର ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସେଠାରେ ଟେକା ପଥର ମାଡ ହେବା ସହିତ ସଂଘର୍ଷ ଘଟିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହା ସମାଧାନ ପାଇଁ ଉଭୟ ସଂପ୍ରଦାୟର ଲୋକଙ୍କୁ ରେମୁଣା ଥାନାକୁ ଡକାଯାଇଛି । ସେପଟେ ସମସ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘରକୁ ଘର ବୁଲି ଛତୁଆ ଏବଂ ଅଣ୍ଡା ପିଲାଙ୍କୁ ଦେବା ପାଇଁ ସରକାର ନିର୍ଦେଶ ଦେଇଥିବାବେଳେ ସେ କାହିଁକି ତାହା ନିଜ ଘରେ ବଣ୍ଟନ କରୁଥିଲେ ତା ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *