ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ

ମୁମ୍ବାଇ ୧୫/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶବ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ବେକରେ ଦଉଡ଼ି ଦେବାରୁ ଶ୍ବାସରୁଦ୍ଧ ହୋଇ ହୋଇଛି। ତେବେ ଏହି ରିପୋର୍ଟରେ କୌଣସି ପ୍ରକାରର ବିଷ କିମ୍ବା ମୃତ୍ୟୁର ଅନ୍ୟ କୌଣସି କାରଣ କୁହାଯାଇ ନାହିଁ। ଡକ୍ଟର ଆଇଏନ କୁପର ମୁନିସିପାଲ ଜେନେରାଲ ହସପିଟାଲରେ ଏହି ପୋଷ୍ଟ ମର୍ଟମ କରାଯାଇଥିଲା । ଡାକ୍ତରଖାନା ପକ୍ଷରୁ ରିପୋର୍ଟ ବାନ୍ଦ୍ରା ପୋଲିସ କୁ ହସ୍ତାନ୍ତର କରାଯାଇଛି । ସୁଶାନ୍ତଙ୍କ ମୃତଦେହର ଅଙ୍ଗସମୂହ ସୁରକ୍ଷିତ ରଖାଯାଇଛି ଯାହାର ଫରେନସିକ୍ ଯାଞ୍ଚ କରାଯିବ। ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ମୁମ୍ବାଇ ପହଞ୍ଚିବା ପରେ ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ସୁଶାନ୍ତଙ୍କ ବାପା ପାଟନାରେ ଏକୁଟିଆ ରହୁଥିଲେ।

ସୂଚନା ଅନୁସାରେ, ହିନ୍ଦି ଚଳଚିତ୍ର ଛିଛୋରେ ରିଲିଜ ହେବା ପରଠାରୁ ସେ ଡିପ୍ରେସନର ଶିକାର ହୋଇଥିଲେ । ଏଥିପାଇଁ ସେ ଦୀର୍ଘ ଛଅମାସ ହେଲା ମୁମ୍ବାଇର ଗୋଟିଏ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଘରୁ କିଛି ଆଣ୍ଟି ଡିପ୍ରେସନ ଔଷଧ ମଧ୍ୟ ଜବତ କରାଯାଇଛି । କୋଇ ପୋ ଚେ  ଏବଂ ଏମଏସ୍ ଧୋନୀ-ଦ ଅନ ଟୋଲ୍ଡ ଷ୍ଟୋରୀ ଚଳଚିତ୍ରରେ ଅଭିନୟ କରି ସଫଳତାର ଶିର୍ଷରେ ପହଂଚିଥିବା ସୁଶାନ୍ତଙ୍କ ନିଧନରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଅରମ୍ଭ କରି ସମସ୍ତ ବର୍ଗର ଲୋକେ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *