ଫୁଲ ଚାରା ଚୋରିକୁ ନେଇ ଗୋଷ୍ଠୀ ସଂଘର୍ଷ : ୬ ଗୁରୁତର

ସୋର ୪।୭: ( ତାଜୁଦ୍ଦିନ) ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ଘରୁ ଫୁଲ ଚାରା ଚୋରୀକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୬ ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଖଇରା ଓ ବାଲେଶ୍ବର ଜିଲ୍ଲା ମୁଖ୍ଯଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଖଇରା ପୋଲିସ ୧୧ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସେପଟେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ, ବାରିଙ୍ଗିଆ ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରି ଙ୍କ ଘରେ ଗତ ତିନିଦିନ ତଳେ ଫୁଲଚାରା ଚୋରି ହେଉଥିଲା । ଏନେଇ ସେ ସେହି ଗାଁର ଭାସ୍କର ସାହୁ ଓ କରୁଣା କର ସାହୁଙ୍କୁ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଭାସ୍କର ସାହୁ ମଞ୍ଜୁଲତାଙ୍କୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏ ବିଷୟକୁ ନେଇ ମଞ୍ଜୁଲତା ଗିରି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଉଭୟ ପକ୍ଷଙ୍କ କଥା ଶୁଣି ବିଚାର କରିବା ପାଇଁ ରବିବାରକୁ ଦିନ ଧାର୍ଯ୍ୟ କରିଥିଲେ । ମାତ୍ର ଗତକାଲି ବିଳମ୍ବିତ ରାତିରେ ଭାସ୍କର ସାହୁ, କରୁଣାକର ସାହୁ ତାଙ୍କ ପରିବାର ଓ ସାଙ୍ଗସାଥି ମାନଙ୍କୁ ଡାକି ସଂଗବଧ ଭାବେ ଭୁଜାଲି ଠେଙ୍ଗାରେ ହଠାତ ମଞ୍ଜୁଲତାଙ୍କ ଉପରେ ଆକ୍ରମଣ କରିଥିଲେ। ମଞ୍ଜୁଲତା ଚିତ୍କାର କରିବାରୁ ଗ୍ରାମବାସୀମାନେ ମଞୁଲତାଙ୍କୁ ଉଦ୍ଧାର କରିବାକୁ ଆସିବାରୁ ଭାସ୍କର ଓ କରୁଣାକରଙ୍କ ଗୋଷ୍ଠି ଗ୍ରାମବାସୀ ମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ଖଇରା ମେଡିକାଲ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥାରେ ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଖଇରା ପୋଲିସ ଜଣେ ମହିଳା ସମେତ ୧୧ ଜଣଙ୍କୁ ଅଟକ ରଖିଛି । ଏହାକୁ ନେଇ ବାରିଙ୍ଗିଆ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବାରୁ ଗ୍ରାମରେ ୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଖଇରା ଆଇ ଆଇ ସି ସୁବ୍ରତ ବେହେରା ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *