କନ୍ଧମାଳରେ ୪ ମାଓବାଦୀ ନିହତ

ଫୁଲବାଣୀ, ୦୫।୦୭: କନ୍ଧମାଳ ଜିଲ୍ଲା ପୁଲିସ୍ ର ଏସଓଜି ଓ ଡିବିଏଫର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀଙ୍କ ସହ ଆମନା ସାମନା ହେବା ସହ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓବାଦୀମାନେ ଅଧିକ ସମୟ ପୁଲିସ୍ ର ମୁକାବିଲା କରି ନପାରି ଅନ୍ଧାରର ସୁଯୋଗରେ ଛତ୍ରଭଙ୍ଗ ଦେଇ ଘଂଚ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଥିଲେ। ଆଜି ସକାଳୁ ଏସଓଜି ଟିମ୍ ସର୍ଚ୍ଚ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ୪ ଜଣ ମାଓବାଦୀଙ୍କ ମୃତ ଶରୀର ପାଇଥିଲା। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ୨୬ ତାରିଖରୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ମାଓବାଦୀ ସଂଗଠନ କେକେବିଏନ ସହିଦ ସପ୍ତାହ ପାଳନ କରିବାକୁ ଯାଉଛି। ଏହି ଅବସରରେ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟାଇବାର ଯୋଜନା ସଂଗଠନ କରିଛି। ଏହି ସୂଚନା ପାଇବା ପରେ କନ୍ଧମାଳ ପୁଲିସ୍ ଜିଲ୍ଲା ରେ ଜୋରଦାର କୁମ୍ବିଂ ଅପରେସନ ଜାରି ରଖିଛି। ୪ ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ବିସ୍ଫୋରକ ଜବତ କରିଥିଲା। ହେଲେ ଶିବିରରେ ଥିବା କ୍ୟାଡର ମାଓବାଦୀ ଦାସୁଲୁ, ଆକାଶ ପ୍ରମୁଖ ଫେରାର ହେବାରେ ସଫଳ ହୋଇଥିଲେ।

Leave a Reply

Your email address will not be published. Required fields are marked *