ଐତିହାସିକ ବଳଦେବଜୀଉ ମନ୍ଦିରରେ ୮ ଦିନ ଧରି ଝୁଲୁଛି ତାଲା

ନୀଳଗିରି,୧୧/୮  ଐତିହାସିକ ବଳଦେବଜୀଉ ମନ୍ଦିର ରେ ୮ ଦିନ ଧରି ଝୁଲୁଛି ତାଲା ।  ପୂଜାପାଉନାହାନ୍ତି ତିନିଠାକୁର ।  ନୀତିପୂଜା ମଧ୍ୟ ବନ୍ଦ । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।   ମନ୍ଦିର ପୋଖରୀ ରେ ମାଛ ଧରା ବାରଣ କରିବାରୁ ସେହି ଗାଁର ଜଣେ ବ୍ୟକ୍ତି ବଳଦେବ ମନ୍ଦିର ରେ ତାଲା ଝୁଲାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ହାତ ଉପରେ ହାତ ଦେଇ ବସିଥିବା ଜଣାପଡିଛି ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ କାଂଡଗରଡ଼ିହି ପଂଚାୟତ ମୁକୁନ୍ଦପୁର ଗ୍ରାମରେ ଐତିହାସିକ ବଳଦେବଜୀଉ ମନ୍ଦିର ରହିଛି। ୧୭୫୦ ମସିହା ତତ୍କାଳୀନ ରାଜା ରାମଚନ୍ଦ୍ର ମର୍ଦରାଜ ହରିଚନ୍ଦନ ନୀଳଗିରି ରାଜବାଟି ସ୍ଥାପନ ବେଳେ ମୁକୁନ୍ଦପୁରରେ ବଳଦେବ ଜୀଉ ମନ୍ଦିର ସ୍ଥାପନ କରିଥିଲେ।ସେହିଦିନ ଠାରୁ ରୀତିନୀତିରେ ତିନିଠାକୁର ପୂଜାପାଇଅସୁଛନ୍ତି। ମନ୍ଦିର ପରିଚାଳନା ଦାୟୀତ୍ୱ ନୀଳଗିରି ଠାକୁର ମାହାଲ ନେଇଛି। ମନ୍ଦିର ପୂଜକ ଭାବେ ଏବେ କମଳାକାନ୍ତ ଦାଶ ପୂଜାକରନ୍ତି। ତାଙ୍କର ପୂର୍ବ ପୁରୁଷ ମାନେ ଏହି ମନ୍ଦିର ରେ ପୂଜାକରୁଥିବାବେଳେ ସେ କିଛି ଜମି ଚାଷ କରିଥାନ୍ତି। ହେଲେ କୌଣସି କାରଣ ନଥାଇ ତାଙ୍କୁ ସେହି ଗ୍ରାମର ମନ୍ଦିର କଥା ବୁଝାବୁଝି କରୁଥିବାର ଦାବି କରୁଥିବା ଯୋଗାନନ୍ଦ ଦାଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ମନ୍ଦିର ଆସିବାକୁ ମନାକରିଥିଲେ। ଏପରିକି  ଚାଷ ଜମି କୁ ନେଇ ଏକ ଗାଡ଼ିଆ ଖୋଳିଥିବାର ଅଭିଯୋଗ ଉଠିଛି। ଗତ ୪ ତାରିଖରେ ଠାକୁରମାହାଲ ଅଧିନ ରେ ଥିବା ଏକ ପୋଖରୀରୁ ଯୋଗାନନ୍ଦ ମାଛ ଧରୁଥିବା ବେଳେ ଠାକୁରମାହାଲ ନିର୍ବାହୀଅଧିକାରୀ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ ମନ୍ଦିର ରେ ତାଲା ଝୁଲାଇ ଦେଇଥିଲେ। ପୂର୍ବରୁ ପୂଜକକୁ ବାରଣ କରି ନିଜେ ପୂଜାକରି ନିଜକୁ ବଂଶାନୁକ୍ରମିକ ପୂଜକ ଦାବି କରି ଆସୁଥିବାରୁ ସେ ବେଆଇନ ଭାବେ ତାଲା ଖୁଲାଇବାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ହୋଇଯାଇଛି। ଠାକୁର ଅପୂଜା ରହିବାରୁ ଗାଁ ପ୍ରତି ଏହା ଅଶୁଭ ସଙ୍କେତ ମନେ କରି ଗ୍ରାମବାସୀ ମାନେ ଏକ ବୈଠକ କରିଥିଲେ। ମନ୍ଦିରକୁ ଠାକୂରମାହାଲ ଦାୟିତ୍ବ ନେଇ ପରିଚାଳନା କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ।ଏ ନେଇ ଠାକୁରମାହାଲ ନିର୍ବାହୀଅଧିକାରୀଙ୍କୁ  ସେମାନେ ଲିଖିତ ଅଭିଯୋଗ କରିଥିଲେ। ହେଲେ ୮ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଦୀର୍ଘ ୮ ଦିନ ଧରି ତିନିଠାକୁର ଅପୂଜା ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର କୁ ନେଇ ଅଯଥା ରାଜନୀତି କରୁଥିବା ବ୍ୟକ୍ତି ଏଥିରୁ କ୍ଷାନ୍ତ ନହୁଅନ୍ତି ତାହେଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ସେହି ଗ୍ରାମର ଗଣେଶ ବେହେରା, ବରେନ୍ଦ୍ର ବେହେରା, ଲମ୍ବୋଧର ଦାସ,ଶଙ୍କର୍ଷଣ ବେହେରା, କରୁଣାକର ସାମଲ ,କୃପାସିନ୍ଧୁ ମହାନ୍ତି,ଅନାଦି ଚରଣ ରାଉତ, ଆନନ୍ଦ ଚନ୍ଦ୍ର ରାଉଳ,ବିଜୟ କୁମାର ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସେପଟେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଯୋଗାନନ୍ଦ ଦାଶ। ଠାକୁର ମାହାଲ ଅଧିକାରୀ ଠାରୁ ଆରମ୍ଭ କରି ପୋଲିସ ତାଙ୍କ ଜଣେ ଅପରାଧି ଭାବରେ ଆଚରଣ କରୁଛନ୍ତି । ତେଣୁ ସେ ଆଉ ପୂଜା କରିବିନି ବୋଲି ନିଷ୍ପତ୍ତି କରି ମନ୍ଦିର ରେ ତାଲା ପକାଇ ଚାବିକାଠି ଠାକୁରମାହାଲ ଅଧିକାରୀଙ୍କୁ ଦେଇଥିଲେ।  ତେବେ ୮ ଦିନ ଅପୂଜା ରହିବା ପରେ ଠାକୁରଙ୍କ ନୀତି ଭ୍ରଷ୍ଟ ହୋଇଥିବା ସ୍ୱୀକାର କରିଛନ୍ତି।

ଅପର ପକ୍ଷରେ ଠାକୁରମାହାଲ ନିର୍ବାହୀ ଅଧିକାରୀ ଙ୍କ ମତାମତ ନେବା ପରେ ଆସନ୍ତା ଗୁରୁବାର ଠାକୁରମାହାଲ ର ଟ୍ରଷ୍ଟବୋର୍ଡ ବୈଠକ ବସିବ। ସେହିଦିନ ଘଟଣାର ସମାଧାନ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *