ଯୁକ୍ତ ୨ ବିଜ୍ଞାନରେ ରାଜ୍ୟର ୪ର୍ଥ ସ୍ଥାନ ଅଧିକାର କଲେ ମୁର୍ତ୍ତି କାରିଗରଙ୍କ ପୁଅ

ସୋର, ୧୨।୦୮: (ତାଜୁଦ୍ଦିନ) ଓଡ଼ିଶାରେ ଯୁକ୍ତ ୨ ବିଜ୍ଞାନରେ ୪ର୍ଥ ସ୍ଥାନ ଅଧିକାର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ପଳସା ପଞ୍ଚାୟତ ମଳିହା ବଣସାହି ଗ୍ରାମର ଗ୍ରାମର ନିମାଇଁ ବେହେରା । ସେ ରୁସ୍ତମପୁର ଗୋବିନ୍ଦ ଜୀଉ ଉଚ୍ଚପୀଠରୁ ୫୬୭ ନଂ ରଖି ଭୁବନେଶ୍ୱର ଵିଜେବି ଜୁନିୟର କଲେଜରେ ପାଠ ପଢୁଥିଲେ । ନିମାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୬୦୦ ରୁ ୫୬୪ ନମ୍ବର ରଖି ରାଜ୍ୟର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେ ଦୈନିକ ୬ରୁ ୮ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଭବିଷ୍ଯତରେ ଜଣେ ଡ଼ାକ୍ତର ହୋଇ ରୋଗୀ ସେବା କରିବେ ବୋଲି ପ୍ରକାଶ କରିଛନ୍ତି । ସମୟ ମିଳିଲେ ଚିତ୍ରଆଙ୍କିବା ଓ ପତ୍ରିକା ପଢିବା ଉପରେ ସେ ରୁଚି ରଖିଛନ୍ତି । ପରିଶ୍ରମ ଓ ଏକାଗ୍ରତା ରହିଲେ ଅର୍ଥ ପାଠ ପଢାରେ ପ୍ରତିବନ୍ଧକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ସେ ହେଉଛନ୍ତି ଖଇରା ବ୍ଳକ ପଳସା ପଞ୍ଚାୟତ ମଳିହା ବଣସାହି ଗ୍ରାମର ରମାକାନ୍ତ ବେହେରା ଓ ମା ସୁକାନ୍ତି ବେହେରା ଙ୍କ ଏକମାତ୍ର ପୁଅ । ବାପା ଜଣେ ମୁର୍ତ୍ତି କାରିଗର ଏବଂ ମା ଜଣେ ଗୃହିଣୀ । ପରିବାରର ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ନିମାଇଁଙ୍କ ପାଠ ପଢାର ଆଗ୍ରହ ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି । ତେବେ ସେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟର ଚତୁର୍ଥ ସ୍ଥାନ ଅଧିକାର କରିବା ପରେ ତାଙ୍କ ପରିବାର ସମେତ ଗାଁ ରେ ଖୁସିର ଲହରି ଖେଳି ଯ‍ାଇଛି । ତାଙ୍କର ଏହି ସଫଳତା ପାଇଁ ନିମାଇଁ ବିଜେବି କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *