ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ କରିବ ସିବିଆଇ : ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ, ୧୯/୮: ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଞ୍ଚ ଦାୟିତ୍ବ ସୁପ୍ରିମ କୋର୍ଟ ବୁଧବାର ଦିନ ସିବିଆଇକୁ ପ୍ରଦାନ କରିଛନ୍ତି । ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ସୁଶାନ୍ତ ସିଂ ରାଜପୁତ ପରିବାର ଓ ରିୟା ଚକ୍ରବର୍ତ୍ତୀଙ୍କ ପରିବାର ମଧ୍ୟରେ ଚାଲିଥିବା ଏହି ମାମଲାର ରାୟ ବିଚାରପତି ହୃଷିକେଶ ରାୟ ଘୋଷଣା କରିଛନ୍ତି।

ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଥିଲେ। ଜୁଲାଇ ୨୫ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସାମୁଏଲ୍‌ ମହିନ୍ଦ୍ରା ଓ ଶ୍ରୁତି ମ‌ୋଦୀଙ୍କ ବିରୋଧରେ ପାଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଏର କରିଥିଲେ। ସେହି ଅଭିଯୋଗ ଆଧାରରେ ପାଟନା ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷେ, ମୁମ୍ବାଇ ପୁଲିସ ଜୁନ୍ ୧୪ ତାରିଖ ଦିନ ଏକ ଆକସ୍ମିକ ମୃତ୍ୟୁ ର‌ପୋର୍ଟ ଦାଏର କରି ମାମଲାର ତଦନ୍ତ ଚଳାଇ ଥିଲା। ଏଫ୍ଆଇଆର୍ ହେବା ପରେ ରିୟା ଏହି ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ।

ଏହି ମାମଲାରେ ଅଗଷ୍ଟ ୧୩ ତାରିଖରେ ହୋଇଥିବା ଶୁଣାଣିରେ ସମସ୍ତ ପକ୍ଷ ସୁପ୍ରିମ୍ କୋର୍ଟରେ ଚୂଡ଼ାନ୍ତ ଲିଖିତ ଦଲିଲ ଦାଏର କରିଥିଲେ। କେବଳ ଏଫ୍‌ଆଇଆର୍ ଦରଜ ହୋଇଥିବାରୁ ଏହାକୁ ପ୍ରଭାବହୀନ ମାମଲା କହିବା ସହ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହୋଇଥିବା ଦର୍ଶାଇ ବିହାର ସରକାର ମଧ୍ୟ ରିୟାଙ୍କ ଆବେଦନ ଖାରଜ କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ସେପଟେ ପ୍ରବର୍ତ୍ତନ ନିର୍ଦେଶାଳୟ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତକୁ ନେଇ ମୁମ୍ବାଇରେ ସର୍ଚ୍ଚ ଅପରେସନ କରୁଛି। ଏହାର ସୁଶାନ୍ତ ସିଂହ ରାଜପୁତଙ୍କ ମନି ଲଣ୍ଡ୍ରିଂ ମାମଲାର କୌଣସି ନେଣଦେଣ ନାହିଁ।

Leave a Reply

Your email address will not be published. Required fields are marked *