କର୍ମୀଙ୍କ ସହ କୋଭିଡ ନିୟମ ଭାଙ୍ଗିଲେ ସୁର ରାଉତରାୟ

ଭୁବନେଶ୍ୱର ୨୪/୮: କରୋନା ବେଳରେ ସୁର ରାଉତରାୟ ନା ନିଜ ସୁରକ୍ଷା କଥା ଚିନ୍ତା କଲେ ନା ଅଞ୍ଚଳବାସୀଙ୍କ କଥା ବି ଭାବିଲେ । ଜଟଣୀ ବିଧାୟକ ସୁର ରାଉତ ରାୟ ଆଜି ନିଜ ପାଖାପାଖି ଶହେ ସମର୍ଥକଙ୍କୁ ଧରି ଏକ ଘରୋଇ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିଥିଲେ । ହସ୍ପିଟାଲ ଭଳି ଏକ ସମ୍ବେଦନଶୀଳ ସ୍ଥାନକୁ ମଞ୍ଚ କରି ସୁର କରିଛନ୍ତି ହାଇଡ୍ରାମା। ନିଜେ ତ କରୋନା କଟକଣା ମାନିଲେନି ତା ସହିତ ଲୋକଙ୍କୁ ଏକାଠି କରି ନାରାବାଜି ଚଳାଇ ନିଜ ରାଜନୀତିର ରୁଟି ସେକିଛନ୍ତି ସୁର ବୋଲି ଅଭିଯୋଗ ହୋଇଛି।

ଭୁବନେଶ୍ବରର ଏକ କୋଭିଡ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯିବା ପରେ ଜଟଣୀ ବିଧାୟକ ଉତ୍କ୍ଷିପ୍ତ ହୋଇ କୋଭିଡ ହସ୍ପିଟାଲକୁ ନିଜ ଦଳବଳ ଧରି ଚାଲି ଆସିଥିଲେ। ପ୍ରାଣ ହରାଇଥିବା କୋଭିଡ ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ସହିତ ଅନ୍ୟ ଶହେ ଲୋକଙ୍କୁ ଏକାଠି କରାଇ ସେଠାରେ ଘଣ୍ଟା ଘଣ୍ଟା ଧାରଣା ଦେଇଥିଲେ। ନା ମାସ୍କ ପିନ୍ଧିଥିଲେ ନା ଥିଲା ସୋସିଆଲ ଡିଷ୍ଟାନ୍ସ । କିନ୍ତୁ ରାଜନୀତିର ସମାବେଶ ସୁରଙ୍କ ଚାଲିଥିଲା। ସରକାରଙ୍କ କୋଭିଡ ପରିଚାଳନାକୁ ଦାୟୀ କରିବା ଏବଂ ସମାଲୋଚନା କରିବାରେ ସୁର ରାଉତରାୟ ଏତେ ପରିମାଣରେ ବାଉଳା ହୋଇଯାଇଥିଲେ ଯେ ସେ ନିଜର ସମର୍ଥକଙ୍କ ସହିତ କୋଭିଡ୍ ନିୟମ ଭାଙ୍ଗିଥିଲେ । ବେଶ୍ କିଛି ସମୟ ଧରି ସେ ହସ୍ପିଟାଲ ସାମ୍ନାରେ ନାରାବାଜି ଚଳାଇଥିଲେ। ଏପରିକି ନିଜେ ୭୦ ବର୍ଷରୁ ଉର୍ଦ୍ଧ୍ବ ହୋଇ ନିଜର ସୁରକ୍ଷା କଥା ତ ଚିନ୍ତା କଲେନି ତା ସହିତ ନିଜ ସମର୍ଥକମାନଙ୍କୁ ମଧ୍ଯ ହସ୍ପିଟାଲ ନିକଟରେ ଠିଆ କରାଇଥିଲେ ।

କରୋନା ସଂକ୍ରମଣ ଭୁବନେଶ୍ବରରେ ଯେତେବେଳେ ପିକ୍ ରେ ରହିଛି, ଯେତେବେଳେ ସରକାର କାମ ନଥିଲେ ବାହାରକୁ ନବାହାରିବା ଲାଗି ଅପିଲ କରୁଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନେ ଘରେ ରହିବା ଲାଗି ପରାମର୍ଶ ଦେଉଛନ୍ତି, ସେତେବେଳେ ବିଧାୟକ ଓ ତାଙ୍କ ସମର୍ଥକମାନେ କରୋନା କଟକଣାକୁ ଫୁ କରି ଧାରଣାରେ ବସିଥିଲେ । କାଲି ସକାଳେ ଯଦି ଏଠାରେ ବସିଥିବା କୌଣସି ବ୍ୟକ୍ତି କରୋନା ପଜିଟିଭ ଆସନ୍ତି ଏଥିପାଇଁ ସୁର ରାଉତରାୟ ଦାୟୀ ହେବେ କି ବୋଲି ଅନେକେ ପ୍ରଶ୍ନ କରିଛନ୍ତି ।

ସଭା ସମିତି ଧାରଣା ଶୋଭାଯାତ୍ରା ନ କରିବା ଲାଗି ସରକାର କଡ଼ା କଟକଣା କରିଛନ୍ତି । ଏପରିକି ନିଜର କିଛି କର୍ମୀଙ୍କୁ ନେଇ ଏକାଠି କାର୍ଯ୍ୟକ୍ରମ କରି ସୁର ପୂର୍ବରୁ ମଧ୍ୟ ସମାଲୋଚିତ ହୋଇଛନ୍ତି । ଏସବୁ ପ୍ରତି ଅବଗତ ଥାଇବି ସୁର ରାଉତରାୟ ଏହି ନିୟମକୁ ଭାଙ୍ଗିଛନ୍ତି । ଏବଂ ସରକାରଙ୍କ କରୋନା କଟକଣାକୁ ଫୁ କରି ଉଡ଼ାଇବାରେ ଲାଗିଛନ୍ତି। ଅନ୍ୟକୁ ସମାଲୋଚନା କରି ସବୁବେଳେ ଥୁ ଥୁ ହେଉଥିବା ସୁର ଯେ ସାମାଜିକ ନିରାପତ୍ତା ଏବଂ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ ସ୍ବାର୍ଥ ପ୍ରତି ତିଳେ ମାତ୍ର ସମ୍ବେଦନଶୀଳ ନାହାନ୍ତି ତାହା ଏଥିରୁ ବେଶ୍ ବାରି ହୋଇ ପଡୁଛି। ତେବେ ଏ ସଂପର୍କରେ ଆମେ ସୁରଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କିନ୍ତୁ ଧରାଛୁଆଁ ଦେଇନଥିଲେ।

Leave a Reply

Your email address will not be published. Required fields are marked *