ବାଲେଶ୍ବରରେ ବିପର୍ଯ୍ଯସ୍ଥ ସ୍ବାସ୍ଥ୍ଯ ସେବା : ସୁଧାର ଆଣିବା ପାଇଁ ଦାବି କଲା ଓଡିଶା ସଂଗ୍ରାମ ସେନା

ବାଲେଶ୍ବର, ୩୧|୦୮: ବାଲେଶ୍ବରର ବିପର୍ଯ୍ଯସ୍ଥ ସ୍ବାସ୍ଥ୍ଯ ସେବାର ସୁଧାର ଆଣିବା ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିକଟରେ ଦାବି କଲା ଓଡିଶା ସଂଗ୍ରାମ ସେନା ।

ଗତ କିଛି ଦିନ ହେବ ବାଲେଶ୍ବରରେ ସ୍ବାସ୍ଥ୍ଯସେବା ବିପର୍ଯ୍ଯସ୍ଥ ହୋଇପଡିଛି । କୋଭିଡ୍ ପରିଚାଳନା ମଧ୍ଯ ଠିକ୍ ଭାବରେ ହେଉନାହିଁ । କରୋନା ସଂକ୍ରମିତଙ୍କ ଠାରୁ ଆରମ୍ଭ କରି ଅନ୍ଯ ଗୁରୁତର ରୋଗୀ ଉତ୍ତମ ସ୍ବାସ୍ଥ୍ଯ ସେବା ନ ପାଇ ମୃତ୍ଯୁବରଣ କରୁଛନ୍ତି । ତେଣୁ ତୁରନ୍ତ ଏନେଇ କାର୍ଯାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହେବ । ବାଲେଶ୍ବର ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ଯ ସେବା ପ୍ରଦାନ ତଥା କୋଭିଡ୍ ପରିଚାଳନା ପାଇଁ ଓଡିଶା ସଂଗ୍ରାମ ସେନା ୧୦ ଦଫା ସମ୍ମିଳିତ ଦାବି ପତ୍ର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଦାନ କରିଛି । ଓଡିଶା ସଂଗ୍ରାମ ସେନାର ସଭାପତି କିଶନ ସାହୁ ଓ କୋଷାଧ୍ଯକ୍ଷ ରାଜୀବ କୁମାର ଦତ୍ତଙ୍କ ସମେତ ଅନ୍ଯ ସଦସ୍ଯମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିବାବେଳେ ମୁଖ୍ଯମନ୍ତ୍ରୀଙ୍କୁ ଇମେଲ୍ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।

ଓଡିଶା ସଂଗ୍ରାମ ସେନାର ଦାବି ଗୁଡିକ ହେଲା :

୧. ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଥିବା ଏମସର ଆଉଟ୍ ଡ଼ୋର ସେବା ବାଲେଶ୍ବରରେ ପୁଣି ଥରେ ଚାଲୁ କରାଯାଉ ।

୨. ଏମସ୍ ର ବାଲେଶ୍ବରରେ ହେବାକୁ ଥିବା ସୁପର ସ୍ପେସିଆଲିଟି ହସପିଟାଲର ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ କରଯାଇ ତୁରନ୍ତ କାର୍ଯ୍ଯକ୍ଷମ କରାଯାଉ ।

୩. ବାଲେଶ୍ବର ଜିଲ୍ଲାରେ କୋଭିଡ୍ ହସପିଟାଲ ଏବଂ କେୟାର ସେଣ୍ଟରମାନଙ୍କରେ ବେଡ୍ ସଂଖ୍ଯା ବୃଦ୍ଧି କରାଯାଉ ।

୪. ବାଲେଶ୍ବର କୋଭିଡ୍ ହସପିଟାଲରେ ଅଧିକ ସଂଖ୍ଯାରେ ଭେଂଟିଲେଟର ଲଗାଯାଉ ।

୫. ବାଲେଶ୍ବର କୋଭିଡ୍ ହସପିଟାଲରେ ଆବଶ୍ଯକ ଭିତ୍ତି ଭୂମୀର ଅଭାବ ଥାଇ ମଧ୍ଯ ରାଜ୍ଯ ସରକାର ତାକୁ କୋଭିଡ୍ ହସପିଟାଲ କରିବା ପାଇଁ ମନସ୍ଥ କରିଥିଲେ । ତୁରନ୍ତ ସେଠାରେ ଭିତ୍ତିଭୂମୀର ବିକାଶ କରାଯାଇ ଉତ୍ତମ ରୋଗୀ ସେବା ପ୍ରଦାନ କରାଯାଉ ।

୬. ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଅଧିକାଂଶ ଷ୍ଟାଫ କରୋନାରେ ସଂକ୍ରମିତ ହୋଇସାରିଥିବାବେଳେ ସେଠାରେ ଅନ୍ଯାନ୍ଯ ରୋଗର ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀ ମଧ୍ଯ ଚିକିତ୍ସାର ଅବହେଳାର ଶିକାର ହେଉଛନ୍ତି । ତେଣୁ ତୁରନ୍ତ ଡାକ୍ତରଖାନାରେ ଅଧିକ ସଂଖ୍ଯାରେ ଡାକ୍ତର ଏବଂ ଅନ୍ଯ ଷ୍ଟାଫ୍ ନିଯୁକ୍ତ କରାଯାଉ । ଯଦି ଆବଶ୍ଯକ ପଡୁଛି ତେବେ ଅନ୍ଯ ଜିଲ୍ଲାରୁ ଅଧିକ ସଂଖ୍ଯାରେ ଷ୍ଟାଫ ଆଣି ଏଠାରେ ଉତ୍ତମରୋଗୀ ସେବା ପ୍ରଦାନ କରାଯାଉ ।

୭. ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ସ୍ବାସ୍ଥ୍ଯ ସେବାର ସୁପରିଚାଳନା ପାଇଁ କୋଭିଡ୍ ରୋଗୀଙ୍କ ପରୀକ୍ଷା, କୋଭିଡ୍ ରୋଗୀଙ୍କ ଡାକ୍ତରଖାନାରେ ଭର୍ତ୍ତି କରିବା , ଡାକ୍ତରଖାନାକୁ ଆସୁଥିବା ଅନ୍ଯ ରୋଗୀମାନଙ୍କ ଠିକ୍ ଭାବରେ ଚିକିତ୍ସା ଆଦି ପାଇଁ ସ୍ବତନ୍ତ୍ର ଟିମ୍ କରାଯାଇ ସେମାନଙ୍କୁ ଦାୟିତ୍ବ ଦିଆଯାଉ।

୮. ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜର ଡାକ୍ତର କେବଳ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ରୋଗୀ ସେବା ପ୍ରଦାନ କରୁଛନ୍ତି । ସେଥିରେ ମଧ୍ଯ ବହୁ ଷ୍ଟାଫ ଆସୁ ନାହାନ୍ତି। ଏପରିକି କଲେଜରେ ନିଯୁକ୍ତ ଅଧିକାଂଶ ଡାକ୍ତର ବାଲେଶ୍ବରରେ ରହୁନାହାନ୍ତି । ତେଣୁ ତୁରନ୍ତ ଏନେଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ।

୯. ଉତ୍ତର ରୋଗୀ ସେବା ପାଇଁ ବାଲେଶ୍ବର କୋଭିଡ୍ ହସପିଟାଲ ଓ କେୟାର ସେଣ୍ଟରରେ ଫକୀର ମୋହନ ମେଡିକାଲ କଲେଜର ଡାକ୍ତର, ନର୍ସ ଏବଂ ଅନ୍ଯ କର୍ମଚାରୀମାନଙ୍କୁ ଡ୍ଯୁଟି ଦିଆଯାଉ।

୧୦. ବାଲେଶ୍ବର ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ସ୍ବାସ୍ଥ୍ଯ ବିଭାଗର ବରିଷ୍ଠ ଅଧିକାରୀ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ପ୍ରଦାନ କରାଯାଉ ।

Leave a Reply

Your email address will not be published. Required fields are marked *