ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ବର୍ଷା ପ୍ରିୟଦର୍ଶନୀ

କଟକ, ୦୫।୦୯: ଓଲିଉଡ୍‌ ସୁପର୍‌ଷ୍ଟାର୍‌ ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ ତଥା ଓଲିଉଡ୍‌ର ସୁପରିଚିତା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଅନୁଭବଙ୍କ ବିରୋଧରେ ସେ କଟକ ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇ ନିର୍ଯାତନା ଅଭିଯୋଗ ଆଣିବା ସହ ନିଜର ଭରଣପୋଷଣ ଦାବି କରିଛନ୍ତି । ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ସହ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏହା ସହିତ ସୁରକ୍ଷା ମଧ୍ୟ ଚାହିଁଛନ୍ତି ।

ସରକାରୀ ୱେବସାଇଟ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ମାମଲାର ପଞ୍ଜିକରଣ ସଂଖ୍ୟା ସିଆର୍‌ଏଲ୍‌ଏମ୍‌ସି ନଂ ୯୪/୨୦୨୦ ହୋଇଥିବା ବେଳେ ଏହା ଅଗଷ୍ଟ ୭ ତାରିଖ ଦିନ ପଞ୍ଜିକୃତ ହୋଇଛି। ପ୍ରୋଟେକ୍‌ସନ ଅଫ୍‌ ଓମେନ୍‌ ଫ୍ରମ୍‌ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨,୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଦମା ଦାୟର ହୋଇଛି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ସ୍ଥିରୀକୃତ ହୋଇଛି। ଅନ୍ୟପକ୍ଷରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏଯାଏ କୌଣସି ଲିଗାଲ୍ ନୋଟିସ୍ ମିଳିନାହିଁ । ନୋଟିସ ମିଳିଲେ ଉତ୍ତର ରଖିବେ ବୋଲି କହିଛନ୍ତି । ବର୍ଷା ଏବେ ମଧ୍ୟ ଅନୁଭବଙ୍କ ଘରେ ହିଁ ଅଛନ୍ତି।

ଉଭୟେ ଆଲବମ୍ ଓ ଓଲିଉଡର ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀ ଥିବାବେଳେ ଅନୁଭବ ରାଜନୀତିରେ ମଧ୍ୟ ସଫଳତା ପାଇଛନ୍ତି । ସେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ ଭାବେ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି । ସଂପ୍ରତି ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବେ କାର୍ଯ୍ୟରତ । ଏହି ଦୁଇ ଚର୍ଚ୍ଚିତ ଦମ୍ପତିଙ୍କ ବିବାହ ୨୦୧୪ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *