ବନ୍ଧୁକ ମୁନରେ ଲୁଟି ନେଲେ ଟଙ୍କା ଓ ସୁନାଗହଣା

ବାରିପଦା, ୧୭।୦୯ : ଘରେ ପଶି ଜଣେ ମହିଳା ଓ ନାବାଳକ ପୁଅକୁ ବାନ୍ଧି ବନ୍ଧୁକ ମୁନରେ ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲାର ଉଦଳା ସହରରେ । ବୁଧବାର ରାତିରେ ୧୨ ନମ୍ବର ୱାର୍ଡରେ ରହୁଥିବା ଉଦଳା ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଡେମନଷ୍ଟ୍ରେଟର ସପନ କୁମାର ମହାନ୍ତିଙ୍କ ଘରେ ଏହି ଲୁଟ୍ ହୋଇଛି ।

ଶ୍ରୀମହାନ୍ତି ଘରେ ନଥିବା ସମୟରେ ବୁଧବାର ୫ ଦୁର୍ବୃତ୍ତ ଆସି କଲିଂ ବେଲ୍ ମାରିଥିଲେ।ଛାତ୍ର ଭାବି ମହାନ୍ତିଙ୍କ ସ୍ତ୍ରୀ ଗୀତାଞ୍ଜଳି ମହାନ୍ତି କବାଟ ଖୋଲିବାରୁ ଦୁର୍ବୃତ୍ତମାନେ ଜୋର ଜବରଦସ୍ତ ଘର ଭିତରକୁ ପଶି ଆସିଥିଲେ। ଏହାପରେ ଦୁର୍ବୁତ୍ତ ମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଓ ସୁନାଗହଣା ମାଗିଥିଲେ । ଗୀତାଞ୍ଜଳି ଏହାକୁ ବିରୋଧ କରିବାରୁ ସେମାନେ ଗୀତାଞ୍ଜଳି ଓ ତାଙ୍କ ପୁଅ ଉଦିତାଂଶୁଙ୍କୁ ବାନ୍ଧି ଘରର ଗୋଟିଏ ରୁମ୍ ରେ ପୁରାଇ ଦେଇଥିଲେ। ସେମାନେ ଗୀତାଞ୍ଜଳିଙ୍କ ବେକରୁ ଏକ ସୁନା ଚେନ୍ ସହ ନଗଦ ୮ ହଜାର ଟଙ୍କା ଓ ତାଙ୍କ ପୁଅ ପାଠ ପଢୁଥିବା ମୋବାଇଲ ଲୁଟି ନେଇ ଯାଇଛନ୍ତି। ଲୁଟ୍ ପରେ ୩ ଦୁର୍ବୃତ୍ତ ବାଇକରେ ଓ ଦୁଇଜଣ ଦୌଡ଼ି ପଳାଇ ଯାଇଥିଲେ। ଲୁଟେରାମାନେ ଏକ ଗାମୁଛା ଓ ଏକ ଚାବି ନେନ୍ଥା ଛାଡ଼ି ଚାଲି ଯାଇଛନ୍ତି। ପ୍ରାୟ 20 ମିନିଟରୁ ଅଧିକ ସମୟ ଘରେ ପଶି ଲୁଟପାଟ କରିଥିଲେ ମଧ୍ୟ ପାଖ ପଡୋଶୀ କିଛି ସୁରାକ ପାଇନଥିଲେ । ସେପଟେ ଲୁଟେରାମାନେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିଥିବା ଯୋଗୁଁ ଗୀତାଞ୍ଜଳି ସେମାନଙ୍କୁ ଜାଣିପାରିନଥିବା ପ୍ରକାଶ କରିଛନ୍ତି । ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *