ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ, ଜେଲରେ ରହିବେ ସୌଭିକ

ମୁମ୍ବାଇ ୭।୧୦: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ପ୍ରାୟ ଏକ ମାସ ଜେଲରେ ରହିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ୍ ମିଳିଛି । ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସେପଟେ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ୍ ନାମଞ୍ଜୁର ହୋଇଛି ।

ରିୟାଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରିୟାଙ୍କୁ ତାଙ୍କ ପାସପୋର୍ଟ ଦାଖଲ କରିବାକୁ ପଡିବ । ମୁମ୍ବାଇ ବାହାରକୁ ଗଲେ ତାଙ୍କୁ ଅନୁମତି ନେବାକୁ ପଡିବ । ଯେତେବେଳେ ବି ତାଙ୍କୁ ପଚରାଉଚରା ପାଇଁ ଡକାଯିବ ତାଙ୍କୁ ହାଜର ହେବାକୁ ପଡିବ । ଏହି ସର୍ତ୍ତରଖି କୋର୍ଟ ରୀୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୮ ସେପ୍ଟେମ୍ବରରେ ଗିରଫ କରିଥିଲା । ରିୟାଙ୍କ ବିରୋଧରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବାରେ ସାହାଯ୍ୟ କରିବାର ଅଭିଯୋଗ ଥିଲା । ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏହି ମାମଲାରେ ପ୍ରାୟ ଏକ ମାସ ଜେଲରେ ରହିଥିଲେ । ସେପ୍ଟେମ୍ବର ୧୧ ତାରିଖରେ ସ୍ପେଶାଲ ଏନଡିପିଏ କୋର୍ଟ ୫ ଜଣଙ୍କର ଜାମିନ ଆବେଦନ ଖାରଜ କରିଥିଲେ । ଏହାପରେ ସମସ୍ତେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସେପ୍ଟେମ୍ବର ୨୯ତାରିଖରେ ବମ୍ବେ ହାଇକୋର୍ଟ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

Leave a Reply

Your email address will not be published. Required fields are marked *