ବାଲେଶ୍ବର ଉପନିର୍ବାଚନ ପାଇଁ ମାନସ କୁମାର ଦତ୍ତ ହେଲେ ବିଜେପିର ପ୍ରାର୍ଥୀ

ବାଲେଶ୍ବର, ୧୧।୧୦: ବାଲେଶ୍ବର ସଦର ଉପ ନିର୍ବାଚନ ପାଇଁ ମାନସ କୁମାର ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର । ବିଜେପିର ପ୍ରାର୍ଥୀ ଦୌଡରେ ବହୁ ନେତା ଥିଲେ । ଏଥିପାଇଁ ବାଲେଶ୍ବର ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ତଥା ଦିବଙ୍ଗତ ନେତା ମଦନ ମୋହନ ଦତ୍ତଙ୍କ ପତ୍ନୀଙ୍କ ନାମ ମଧ୍ଯ ଚର୍ଚାରେ ରହିଆସିଥିଲା । ଶେଷରେ ବିଜେପିର ଶିର୍ଷ ନେତୃତ୍ବ ମାନସ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସେହିପରି ତିର୍ତ୍ତୋଳ ଉପନିର୍ବାଚନ ପାଇଁ ବିଜେପି ରାଜକିଶୋର ବେହେରାଙ୍କ ନାମ ଘୋଷଣା କରିଛି । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏନେଇ ଆଜି ଘୋଷଣା କରିଛନ୍ତି ।

ମାନସ ବିଜେପିର ପ୍ରାର୍ଥୀ ହେବା ଦ୍ବାରା ବିଜେପିକୁ ମଦନ ମୋହନ ଦତ୍ତଙ୍କ ନିଧନ ପରେ ସିମପେଥୀ ଭୋଟ ମିଳିବାର ସମ୍ଭାବନା ଥିବାବେଳେ ତାଙ୍କର ସଂଗଠନର ଫାଏଦା ମଧ୍ଯ ମିଳିବାର ଆଶା ରହିଛି । ସେପଟେ ମାନସଙ୍କୁ ବିଜେପିର ଯୁବ ଏବଂ ଛାତ୍ର ସଂଗଠନର ସମର୍ଥନ ରହିଥିବାବେଳେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ମଧ୍ଯ ରହିବ । ସେପଟେ ବିଜେପିର ସଂଗଠନ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ବେଶ୍ ସୁଦୃଢ ରହିଛି । ଗତ ନିର୍ବାଚନରେ ବିଜେପିକୁ 74815 ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡିକୁ 61409 ଭୋଟ ମିଳିଥିଲା । ଏଥିରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ 13406 ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *