ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ ୨୬।୧୦: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ହୋଇଛି । ସ୍ପେଶାଲ ସିବିଆଇ କୋର୍ଟ ଏହା ରାୟ ଶୁଣାଇଛନ୍ତି । ଦିଲ୍ଲୀପ ରାୟଙ୍କ ସହ ଅନ୍ୟ ତିନି ଜଣ ଦୋଷୀଙ୍କୁ ମଧ୍ୟ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ଦିଲ୍ଲୀପ ରାୟ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଥିଲେ । ତେବେ ତାଙ୍କୁ ପରେ ଜାମିନ ମିଳିଛି । ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ସ୍ପେଶାଲ ସିବିଆଇ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ ଦିଲ୍ଲୀପଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅକ୍ଟୋବର ୧୪ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ । ସିବିଆଇ ସ୍ବତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏମାନଙ୍କ ବ୍ୟତୀତ ଝାଡ଼ଖଣ୍ଡର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ ଖେଡାଙ୍କୁ ଦୋଷୀ ସାବ୍ୟସ୍ତ ସହ ୩ବର୍ଷ ଜେଲ ଏବଂ ୨୫ ଲକ୍ଷ ଟଙ୍କା ଜରିମନା କରାଯାଇଥିଲା । ସେହିପରି ପୂର୍ବତନ ଖଣି ସଚୀବ ଏଚ ସି ଗୁପ୍ତାଙ୍କୁ ମଧ୍ୟ ୩ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *