ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ଲାଗିଲା କଟକଣା
ଭୁବନେଶ୍ବର ୩/୧୧: ବାଣ ଦୋକାନ ଖୋଲିବା ଏବଂ ବାଣ ଫୁଟାଇବା ଉପରେ ରାଜ୍ୟ ତମାମ କଟକଣା ଜାରି କରିଛନ୍ତି ରିଲିଫ୍ କମିଶନର। ନଭେମ୍ବର ୧୦ରୁ ୩୦ ଯାଏଁ କଟକଣା ଜାରି ରହିବ। ଦୀପାବଳିରେ ପାରମ୍ପାରିକ ଭାବେ ଘରେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଦୀର୍ଘ ୨୧ ଦିନ ଲାଗି ଏହି କଟକଣା ବଳବତ୍ତର ରହିବ। ଯେଉଁମାନେ ନମାନି ବାଣ ଫୁଟାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍କୁ କ୍ଷମତା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି।