ଡ. ଶୁଭଶ୍ରୀ ଲେଙ୍କା ଓଡିଶା ସାହିତ୍ୟ ଏକାଡ଼େମୀର ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ

ଭୁବନେଶ୍ବର ୨୫।୧୧: ଓଡ଼ିଶା ସାହିତ୍ୟ ଏକାଡେମିର ରାଜ୍ଯ କାର୍ଯ୍ଯକାରିଣୀକୁ ବାଲେଶ୍ବରର ଡକ୍ଟର ଶୁଭଶ୍ରୀ ଲେଙ୍କା ମନୋନୀତ ହୋଇଛନ୍ତି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଡକ୍ଟର ଲେଙ୍କା ସହିତ ବିଭାଗର ନିର୍ଦେଶକଙ୍କୁ ଏକାଡେମିର ସମ୍ବିଧାନ ଧାରା ୧୩(ଭି) ଅନୁଯାୟୀ ରାଜ୍ଯକାର୍ଯ୍ଯକାରିଣୀ ସଦସ୍ଯ ଭାବରେ ମନୋନୀତ କରାଯାଇଛି ।

ଡ.ଶୁଭଶ୍ରୀ ଲେଙ୍କା ଗତ ନଅ ବର୍ଷ ଧରି ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ରହିଥିବାବେଳେ ଓଡିଶାର ଦ୍ୱିତୀୟ ପୁରାତନ ସାହିତ୍ୟ ଅନୁଷ୍ଠାନ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱରର ପ୍ରଥମ ନାରୀ ସଂପାଦିକା ଥିଲେ । ସେ ଓଡ଼ିଶା ଲେଖିକା ସାମୁଖ୍ୟ, ଉତ୍କଳ ସାହିତ୍ୟ ସମାଜ ଓ ଅନ୍ୟ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ସଂପୃକ୍ତ ଅଛନ୍ତି । ସେ ବିଗତ କିଛିବର୍ଷ ଧରି ଉଭୟ ବୈଦ୍ୟୁତିକ, ମୁଦ୍ରିତ ଗଣମାଧ୍ୟମ ତଥା ଏଫ୍‍ଏମ୍‍ ରେଡିଓ ଚେନାଲରେ ନିୟମିତ ଭାବରେ ବିଭିନ୍ନ ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମର ଆଲେଖ୍ୟ, ପ୍ରସ୍ତୁତି ଓ ଉପସ୍ଥାପନା କରିଆସୁଛନ୍ତି । ଏହା ସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ମହାବିଦ୍ୟାଳୟରେ ବହୁ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନା କରିଆସୁଛନ୍ତି ।

ସେ ଦି’ଫକୀର, ସାହିତ୍ୟ ବାହିକା, ସୁବର୍ଣ୍ଣଭୂମି, କୋଶମ୍ୱିକା, ଇନ୍ଦ୍ରଧନୁ ପୃଷ୍ଠା (ସମ୍ୱାଦ ସାହିତ୍ୟଘର) ଇତ୍ୟାଦିର ସମ୍ପାଦନା ଦାୟିତ୍ବ ତୁଲାଇଥିବାବେଳେ ତାଙ୍କର କବିତା ସଂକଳନ ସେଇ ଶବ୍ଦମାନେ (୨୦୧୮), ଚିତ୍ରରାତି (୨୦୧୩), ଆକାଶରେ ଆଜି ଜହ୍ନ ନାହିଁ(୨୦୧୦), ଓ'(୨୦୦୭), ଆସ (୨୦୦୫), ନିର୍ବାଚିତ କବିତାଗୁଡ଼ିକର ଇଂରାଜୀ ଅନୂଦିତ ସଂକଳନ: ନାଇଟ୍‍ସ୍କେପ୍ପ୍‍ (୨୦୧୬) ଆଦି ପ୍ରକାଶ ପାଇଛି । ଏତଦ୍‍ ବ୍ୟତୀତ ପ୍ରାୟ ସମସ୍ତ ଓଡ଼ିଆ ସମ୍ୱାଦପତ୍ର, ପତ୍ରପତ୍ରିକାରେ ତାଙ୍କର କବିତା, ଗଳ୍ପ, ପ୍ରବନ୍ଧ, ସମାଲୋଚନା, ପୁସ୍ତକ ସମୀକ୍ଷା, ସାକ୍ଷାତକାର, ଫିଚର ଆଦି ନିୟମିତ ଭାବେ ପ୍ରକାଶିତ ହୋଇଛି ।

ଡ. ଲେଙ୍କା ତାଙ୍କ ସାହିତ୍ଯକୃତି ପାଇଁ ବିଗତ କିଛି ବର୍ଷ ମଧ୍ଯରେ ବହୁ ରାଜ୍ଯ ତଥା ଜାତୀୟ ସ୍ତରର ସମ୍ମାନ ପାଇଛନ୍ତି । ୨୦୧୯ ମସିହାରେ ସେ କଟକ ଲିଟେରାରୀ ଫେଷ୍ଟିଭାଲ ସମ୍ମାନ ପାଇଥିବାବେଳେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ ରାଜ୍ଯପାଳଙ୍କ ଠାରୁ କଟକ ସାଇ ଏଜୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ସାଇ ଗ୍ୟାଲେଣ୍ଟାରି ଏକ୍ସିଲେ୍‍ସି ସମ୍ମାନ, ଝାଡ଼ଖଣ୍ଡ ଖଣ୍ଡାମୌଦା ସାହିତ୍ୟଘର ତରଫରୁ ସରୋଜିନୀ ଦେବୀ କବିତା ସମ୍ମାନ, କିଟ୍ ଭୂବନେଶ୍ବରରେ ଓ୍ୱାର୍ଲଡ଼୍‍ ପୋଏଟ୍ରି କଂଗ୍ରେସ ସମ୍ମାନ ଆଦି ସମ୍ମାନର ସେ ଅଧିକାରୀ ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *