ବରଷା ରାତିକୁ ଭରସା ନାହିଁ

ଭୂବନେଶ୍ବର ୦୯।୦୧: (ସଂକେତ ଟିଭି) ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ ଅପେରା ପାର୍ଟି ମାଲିକମାନେ ଯାତ୍ରା ମଞ୍ଚସ୍ଥ ପାଇଁ ନିଜକୁ ପ୍ରସ୍ତୁତ କରି ନାହାଁନ୍ତି । ସରକାର ସିନା ଅନୁମତି ଦେଇଛନ୍ତି, ତେବେ ଯେଉଁ ସ୍ଥାନରେ ପାର୍ଟି ଖେଳିବ , ସେଠାକାର ଜିଲ୍ଲାପାଳ ଅନୁମତି ଦେବା ଆବଶ୍ୟକ । ଯଦି କେଉଁ କେଉଁ ଜିଲ୍ଲାର ଜିଲ୍ଲାପାଳ ଏଥିପାଇଁ ଅନୁମତି ନ ଦିଅନ୍ତି, ପାର୍ଟି ମାଲିକ କ୍ଷତି ସହିବେ । ସେଥିପାଇଁ ଦୁଇ ତିନିଟି ଯାତ୍ରା ପାର୍ଟିକୁ ବାଦ୍ ଦେଲେ ଅନ୍ୟମାଲିକମାନେ ଆଖଡାଶାଳ ଖୋଲି ନାହାଁନ୍ତି । ତେବେ ତୁଳସୀ ଗଣନାଟ୍ୟ ଯାତ୍ରା ମଞ୍ଚସ୍ଥ ପାଇଁ ସଂପୂର୍ଣ ପ୍ରସ୍ତୁତ ହୋଇ ସାରିଛି । ତିନିଟି ନୂଆ ନାଟକର ଫାଇନାଲ ରିୟରସେଲ ସେଲ କରି ସାରିଛି । ଆଉ ଏଥରର ନୂଆ ନାଟକ ଗୁଡିକ ହେଲା – ମୋ ଶବକୁ ମଶାଣି ମନା, ବାଜିଲେ ବଂଶୀ କାନ୍ଦୁଛି ରାଧା ଓ ବରଷା ରାତିକୁ ଭରସା ନାହିଁ । ମୋ ଶବକୁ ମଶାଣି ମନା ନାଟକକୁ ସୁକାନ୍ତ ମଲ୍ଲିକ ରଚନା କରିଥିବା ବେଳେ ବିନୋଦ ରାଉତ ନିର୍ଦେଶନା ଦେଇଛନ୍ତି । ବାଜିଲେ ବଇଁଶୀ କାନ୍ଦୁଛି ରାଧା ନାଟକରେ ପ୍ରଦୀପ ବେହେରା ରଚନା ଓ ନିର୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି । ସେହିପରି ବରଷା ରାତିକୁ ଭରସା ନାହିଁ ନାଟକକୁ ଅରୁଣ ବାରିକ ରଚନା କରିଥିବା ବେଳେ ତାପସ ସ୍ୱାଇଁ ନିର୍ଦେଶନା ଦେଇଛନ୍ତି । ଆଗ ଧାଡିର କଳାକାର ହୃଷି, ରମା, ସତ୍ୟ, ତୁଷାର, ନୀର ସ୍ୱାଇଁ, ଜୁଲି ପଣ୍ଡା, ବିଜୟ, ପୂର୍ଣିମା , ସୋନାଲି , ଭାବନା, ବାସୁ, ଗୁରିଆ, ଶଶୀ, କୁନା ଆଦି ଏଥର ତୁଳସୀରେ ଅଭିନୟ କରୁଛନ୍ତି ।

ସେହିପରି ବାଲେଶ୍ୱର ଶେରଗଡରେ ବାଘା ଯତୀନ ଲୋକନାଟ୍ୟର ଆଖଡା ଶାଳ କମ୍ପୁଛି । ସାଖି ଲେହି ଉପରବାଲା ନାଟକର ଶେଷ ରିୟରସେଲ ସରିଯାଇଥିବା ବେଳେ ଏବେ ତୁ କାନ୍ଦିଲେ ମୁଁ କାନ୍ଦିବି ନାଟକ ପ୍ରସ୍ତୁତି ଚାଲିଛି । ସାଖି ସେହି ଉପରବାଲା ନାଟକକୁ ଦୀପକ ଜେନା ରଚନା କରିଥିବା ବେଳେ ବିକ୍ରମ ନାୟକ ନିର୍ଦେଶନା ଦେଇଛନ୍ତି । ତୁ କାନ୍ଦିଲେ ମୁଁ କାନ୍ଦିବି ନାଟକରେ ଅରୁଣ ନାୟକ ମହେଶ ହାଜରା ରଚନା ଓ ନିର୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ଆଉ ଏଥର ବାଘା ଯତୀନ ଲୋକନାଟ୍ୟରେ ଲରେନ୍ସ,ଜିତୁ, ଆକାଶ, ମାମା, ପ୍ରିୟଙ୍କା ଭଳି ହାଇପେଡ ଆର୍ଟିଷ୍ଟ ଅଭିନୟ କରୁଛନ୍ତି ।

ଏହି ଦୁଇ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ ପାଇଁ ପ୍ରସ୍ତୁତି ଶେଷ ପାହାଚରେ ପହଞ୍ଚାଇ ଦେଇଛନ୍ତି । ଆଉ ଆଶା କରୁଛନ୍ତି ମକର ସଂକ୍ରାନ୍ତି ପରେ ପାର୍ଟି ବାହାର କରିବେ । ତେବେ କରୋନା କଟକଣା କେତେବେଳେ କଣ ହେବ ଜାଣି ହେଉ ନାହିଁ । ସେଥିପାଇଁ କଳାକାରମାନେ ଅନିଶ୍ଚିତତା ଭିତରେ ରହି ପରଷ୍ପରକୁ କହୁଛନ୍ତି ବରଷା ରାତିକୁ ଭରସା ନାହିଁ ……

Leave a Reply

Your email address will not be published. Required fields are marked *