ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ଦୁବଲାଗଡି- ପନ୍ତା ବେଳାଭୂମୀ

ବାଲେଶ୍ବର ୯।୧: ( ସଂକେତ୍ ଟିଭି) ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଛି ବାଲେଶ୍ବର ଜିଲ୍ଲାର ଦୁବଲାଗଡି- ପନ୍ତା ବେଳାଭୂମୀ । ବିସ୍ତୀର୍ଣ୍ଣ ଝାଉଁବଣର ଶୋଭାରାଜି ସାଙ୍ଗକୁ ବେଳାଭୂମିର ଅତି ସୁନ୍ଦର ଦୃଶ୍ଯ ଉପଭୋଗ କରିବା ପାଇଁ ରାଜ୍ଯ ତଥା ରାଜ୍ଯ ବାହାରୁ ବହୁ ପର୍ଯ୍ଯଟକ ଏଠାକୁ ଆସିଥାନ୍ତି । ବାଲେଶ୍ବର ସହରଠାରୁ ମାତ୍ର 35 କିଲୋମିଟର ଦୂରରେ ରହିଛି ଏହି ବିସ୍ତୀର୍ଣ୍ଣ ବେଳାଭୂମି । ଏହି ବେଳାଭୂମୀର ଅପରୂପ ସୌନ୍ଦର୍ଯ୍ଯ ଉପଭୋଗ କରିବା ସହିତ କିଛି ସମୟ ପାଇଁ କୋଳାହଳ ଭରା ସହରଠାରୁ ଦୂରେଇବା ପାଇଁ ଏଠାକୁ ପର୍ଯ୍ଯଟକ ଆସିଥାଏ । ଅନ୍ଯ ବେଳାଭୂମୀ ଅପେକ୍ଷା ସେତେଟା ଭିଡ ନ ଥିବାବେଳେ ଯିଏ ଥରେ ଏଠାକୁ ଆସେ ଏଠାରୁ ଯିବା ପାଇଁ ଇଚ୍ଛା କରିନଥାଏ । କିଏ ବଣଭୋଜି ପାଇଁ ଆସିଥାଏ ତ ଆଉକିଏ କିଛି ସମୟ ପ୍ରକୃତି କୋଳରେ ହଜିଯିବାକୁ ଆସିଥାଏ । ବେଳାଭୂମିରେ ସାଙ୍ଗସାଥିଙ୍କ ସହିତ ଖେଳିବା ସହିତ ସମୁଦ୍ରରେ ଗୋଧୋଇବାର ମଜା ନେଇଥାଏ । ଏପରିକି କିଛି ପର୍ଯ୍ଯଟକ ଏଠାକାର ସୌନ୍ଦର୍ଯ୍ଯକୁ ଦେଖି ମତୁଆଲା ହୋଇ ନାଚିବାକୁ ମଧ୍ଯ ପଛାଇନଥାଏ ।

ପର୍ଯ୍ଯଟନ ଶିଳ୍ପ ପାଇଁ ଏହି ବେଳାଭୂମିରେ ସମସ୍ତ ଉପାଦାନ ରହିଥିଲେ ମଧ୍ଯ ଏହା ସରକାରଙ୍କ ଦୃଷ୍ଟି ଅଢୁଆଳରେ ରହିଆସିଛି । ବେଳାଭୂମି ପର୍ଯ୍ଯନ୍ତ ରାସ୍ତା ନଥିବାବେଳେ ଏଠାରେ ଉଜ୍ଜଳ ଆଲୋକର ବ୍ଯବସ୍ଥା କି ପାନୀୟ ଜଳ ବ୍ଯବସ୍ଥା ମଧ୍ଯ ନାହିଁ । ବେଳାଭୂମୀରେ ସୁରକ୍ଷା ପାଇଁ ପୋଲିସ କିମ୍ବା ଲାଇଫଗାର୍ଡର ବ୍ଯବସ୍ଥା ମଧ୍ଯ ନାହିଁ । ଅଧିକ ସଂଖ୍ଯକ ପର୍ଯ୍ଯଟକ ଆସୁଥିବା ଯୋଗୁଁ ସ୍ଥାନୀୟ କିଛି ଉଦ୍ଯୋଗି ଯୁବକ ଅଳ୍ପ କିଛି ଅର୍ଥ ନେଇ ସେମାନଙ୍କ ରହିବା ପାଇଁ ଟେଣ୍ଟ ଏବଂ ଖାଇବାର ବ୍ଯବସ୍ଥା କରିଛନ୍ତି ।

ସେପଟେ ଏହି ବେଳାଭୂମୀର ବିକାଶ କରି ଏହାକୁ ପର୍ଯ୍ଯଟନ ମାନଚିତ୍ରରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ । ସେ ଏହି ବେଳାଭୂମୀକୁ ପରିଦର୍ଶନ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଏହାର କିପରି ବିକାଶ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ ।

ଦୁବଲାଗଡି- ପନ୍ତା ବେଳାଭୂମୀରେ ପର୍ଯ୍ଯଟନରେ ଅଧିକରୁ ଅଧିକ ଦେଶୀ ଓ ବିଦେଶି ପର୍ଯ୍ଯଟକଙ୍କୁ ଆକର୍ଷିତ କରିବା ପାଇଁ ସମସ୍ତ ଉପାଦନ ରହିଛି । ଏହି ବେଳାଭୂମି ବିକଶିତ କରି ଇକୋ ରିଟ୍ରିଟ୍ ର ବ୍ଯବସ୍ଥା କରିପାରିଲେ ସରକାର ଅଧିକ ଅଧିକ ରାଜସ୍ବ ପାଇବା ସହିତ ଏହି ଅଂଚଳର ଲୋକଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ଘଟିପାରିବ ।

Leave a Reply

Your email address will not be published. Required fields are marked *