ବ୍ଯାନରରେ ନାମ ନଥିବାରୁ ଷ୍ଟେଜ ଉପରକୁ ଚଢିଲେ ନାହିଁ ବିଧାୟକ

ବାଲେଶ୍ବର ୦୯।୦୧: ( ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ବାହାବଳପୁର ଠାରେ ମେରାଇନ କେଜ୍ କଲ୍ଚର ( ସମୁଦ୍ରରେ ପଞ୍ଜୁରୀ ଭିତରେ ମାଛ ଚାଷ) ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଲଗାଯାଇଥିବା ବ୍ଯାନରକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସଭା ସ୍ଥଳରେ ଲଗାଯାଇଥିବା ବ୍ୟାନରରେ ସଦର ବିଧାୟକ ସ୍ବରୂପ ଦାସଙ୍କ ନାମ ନଥିବାରୁ ସେ ଏହାକୁ ବିଜେପି ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି ଷ୍ଟେଜ ଉପରକୁ ଚଢିନଥିଲେ ।

ସୂଚନା ଅନୁସାରେ, ଆଜି ବାହାବଳପୁର ଠାରେ ମେରାଇନ କେଜ୍ କଲ୍ଚର ( ସମୁଦ୍ରରେ ପଞ୍ଜୁରୀ ଭିତରେ ମାଛ ଚାଷ) ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇଥିଲେ । ସଦର ବିଧାୟକ ସ୍ବରୂପ କୁମାର ଦାସ ମଧ୍ଯ ଏହି ସଭାରେ ଅତିଥି ଥିଲେ । ହେଲେ ସେ ସଭାସ୍ଥଳକୁ ପହଞ୍ଚିବା ପରେ ସେଠାରେ ଲାଗିଥିବା ବ୍ଯାନରରେ ତାଙ୍କର ନାମ ନଥିବାରୁ ସେ କ୍ଷୁବ୍ଧ ହୋଇ ଷ୍ଟେଜ୍ ଉପରକୁ ଚଢିନଥିଲେ । ତାଙ୍କ ସମର୍ଥକମାନେ ଏହାକୁ କେନ୍ଦ୍ରକରି ପାଟିତୁଣ୍ଡ କରିଥିଲେ । ଏହାକୁ କେନ୍ଦ୍ର କରି ଉଭୟ ବିଜେଡି ଏବଂ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ବିଧାୟକଙ୍କୁ ବୁଝାସୁଝା କରିଥିଲେ । ହେଲେ ସେ ଏହି କାର୍ଯ୍ଯକ୍ରମକୁ ବିଜେପି ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି ସଭାସ୍ଥଳ ଛାଡି ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *