ରାଜ୍ୟକୁ ପୁଣି ଫେରିବ ଶୀତ, ହେବ ଘନ କୁହୁଡି

ଭୁବନେଶ୍ବର,୧୧/ ୦୧: ମଙ୍ଗଳବାରରୁ ଓଡ଼ିଶାରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇବ। ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ଓ ଖରାଟିଆ ରହିବ । ଅପରପକ୍ଷେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗବିତମାନେ ଅନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଯାଜପୁର, ସୋନପୁର, ପୁରୀ, ମାଲକାନଗିରି, କୋରାପୁଟ, ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ । ଉତ୍ତରପ୍ରଦେଶ ରହିଥିବା ଗୁରୁଚାପ ବଳୟ ସ୍ଥାନ ପରିବର୍ତ୍ତନ କରି ଆସନ୍ତାକାଲି ମହାରାଷ୍ଟ୍ର ଉପରେ ରହିବ । ଫଳରେ ରାଜ୍ୟରେ ବାୟୁର ଦିଗ ପରିବର୍ତ୍ତନ ହେବ । ଏହି ଅବସ୍ଥା ୧୬ ତାରିଖ ପର୍ଯ୍ୟନ୍ତ ଲାଗିରହିବ ।

ଏତତ୍ ବ୍ୟତୀତ, ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ସେଲସିୟସରୁ ଅଧିକ କମିପାରେ । ପରେ ୧୬ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୧୨ ତାରିଖରୁ କମିବା ଆରମ୍ଭ କରିବ । ୧୩ ସୁଦ୍ଧା ଭୁବନେଶ୍ୱରରେ ୨ ଡିଗ୍ରୀ ସେଲସିୟସ୍‌, ରାଉରକେଲାରେ ୩ ଡିଗ୍ରୀ ସେଲସିୟସ୍‌ ଓ ବଲାଙ୍ଗୀରରେ ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିବା ଯୋଗୁଁ ଦିନ ବେଳା ମଧ୍ୟ ଶୀତ ଲାଗିବ । ୧୩ରୁ ୧୫ ମଧ୍ୟରେ କୁହୁଡ଼ି ବିଶେଷ ଭାବେ ଉପକୂଳରେ ବଢ଼ିବ । ୧୭ରୁ ପୁଣି ପାଗ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Leave a Reply

Your email address will not be published. Required fields are marked *