ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ହେବ ତାଳସାରୀ ଓ ଚନ୍ଦ୍ରଭାଗା ବେଳାଭୂମି
ଭୂବନେଶ୍ବର ,୧୨/୦୧: ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି।
ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ, ରାଜ୍ୟରେ ବୁରୀ-କୋଣାର୍କ ମେରାଇନଡ୍ରାଇଭ୍ର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତାଳସାରୀ-ଉଦୟପୁର ବେଳାଭୂମିରେ ଭିତ୍ତିଭୂମିର ବିକାଶ କରି ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୨ଟି ମହତ୍ୱାକାଂକ୍ଷୀ ଯୋଜନାର ରୂପାୟନ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତ୍ରୁତ ଆଲୋଚନା କରିଥିଲେ।
ଏହି ଯୋଜନାରେ ବାଲେଶ୍ୱରର ତାଳସାରୀର ଭେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ, ସେଥିପାଇଁ ସେଠାରେ ୨.୪ କିଲୋମିଟର ଅଂଚଳକୁ ବିକଶିତ କରାଯିବ। ଏଥିପାଇଁ ସେଠାରେ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣ କରିବା ପାଇଁ ଉତ୍ସାହିତ କରାଯିବ। ଏହି ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ମନଭରି ଉପଭୋଗ କରିପାରିବେ, ସେଥିପାଇଁ ରୁଚିପୂର୍ଣ୍ଣ ଭାବରେ ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ, କିଓସ୍କ, ସିଟିଂ ଆଇସଲ୍ୟାଣ୍ଡ, ସୋଲାର ଫଟୋ ଭୋଲାଟାଇକ, ଆମ୍ଫି-ଥ୍ରିଏଟ, ରେଷ୍ଟୁରାଣ୍ଟ ଆଦି ସୁବିଧା ପର୍ଯ୍ୟଟକମାନଙ୍କ ପାଇଁ କରାଯିବ। ଏତଦ୍ବ୍ୟତୀତ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର କଳା ସଂସ୍କୃତି ସହ ପରିଚିତ କରିବା ପାଇଁ ଏକ ଆର୍ଟର୍ ଏବଂ କ୍ରାଫ୍ଟ ପ୍ଲାଜା ମଧ୍ୟ ନିର୍ମାଣ କରାଯିବ। ଏସବୁ ଭିତ୍ତିଭୂମି କାର୍ଯ୍ୟ ୨୦୨୧ ଅକ୍ଟୋବର ଶେଷ ସୁଦ୍ଧା ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଂଚଳର ବିକାଶ କରାଯିବ। ଏଥି ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ଜଳକ୍ରୀଡ଼ା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଳାପଥ, ସାଇକେଲ ଟ୍ରାକ୍, ସମୁଦ୍ରର କୂଳେ କୂଳେ କାଠର ଚଳାପଥ, ମୁକ୍ତ ରଂଗମଂଚ, ଛୋଟ ପିଲାଙ୍କ ଖେଳ ପାଇଁ ଅଂଚଳ, ସୂର୍ଯ୍ୟୋଦୟ ଦେଖିବା ପାଇଁ ମଂଚ, ଦୁଃସାହସିକ କ୍ରୀଡ଼ା ଆଦି ଅତ୍ୟାଧୁନିକ ସୁବିଧା ସେହିସବୁ ସ୍ଥାନ ମାନଙ୍କରେ ଉପଲବ୍ଧ ହେବ। ଏହା ବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନ ବ୍ୟବସ୍ଥା, ଲ୍ୟାଣ୍ଡସ୍କେପିଂ, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ। ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ପର୍ଯ୍ୟଟକମାନେ କେବଳ ଦିନ ସମୟରେ ହିଁ ଏହି ସବୁକୁ ଉପଭୋକ କରିପାରିବେ।