ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା କୋଭିସିଲ୍‌ଡ

ଭୂବନେଶ୍ବର,୧୨/୦୧: ( ସଂକେତ୍ ଟିଭି) ଓଡ଼ିଶାରେ ପହଞ୍ଚିଲା କରୋନା ଟିକା ‘କୋଭିସିଲ୍‌ଡ’। ପୁନେର ସେରମ୍ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଟିକା କ‌ୋଭିସିଲ୍ଡ ଆସି ଅପରାହ୍ନ ୩ଟା ୪୦ମିନିଟରେ ପହଞ୍ଚିଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ଗୁଡ଼ିକୁ ଏୟାରପୋର୍ଟରୁ ଶ୍ରୀରାମ ମନ୍ଦିର ଛକରେ ଥିବା ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ପରିସରକୁ ଅଣାଯାଇଛି।

ପ୍ରାୟ ୧୨୦୦ କିଲୋ ଓଜନର ୩୪ଟି ପ୍ୟାକେଟରେ ଭର୍ତ୍ତି ହୋଇ ଆସିଥିବା ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରରେ ଗଚ୍ଛିତ ରଖାଯାଇଛି। ଟିକା ପହଞ୍ଚିବା ପରେ ସମଗ୍ର ରାଜ୍ୟରେ ଟିକା ବିତରଣ କରିବ ସ୍ୱାସ୍ଥ୍ୟ ବିଭାଗ। ୩୦ଟି ଜିଲ୍ଲାରୁ ଭୁବନେଶ୍ବରରୁ ଟିକା ନେବାକୁ ସ୍ବତନ୍ତ୍ର ଗାଡ଼ି ଆସି ପହଞ୍ଚିବ ଏବଂ ସେଥିରେ ଟିକା ଜିଲ୍ଲା ଟୀକାକରଣ କେନ୍ଦ୍ରକୁ ପଠାଯିବ।ଏହାପରେ ଅର୍ଥାତ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର ୪୦ ହଜାର ୮ଶହ ଭାଏଲ୍ (ଛୋଟ ବୋତଲ୍) ଆସିଛି । ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତ‌ାହା ୧୦ ଜଣଙ୍କୁ ଦିଆଯାଇ ପାରିବ ।

ହିସାବ ଅନୁସାରେ, ରାଜ୍ୟରେ ସମୁଦାୟ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ପହଞ୍ଚିଛି। ଆଜି ଯେତିକି ଟିକା ଆସିଛି ତାହା ୧ ଲକ୍ଷ ୯୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟ ଟୀକାକରଣ ଲାଗି ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *