ରାତିକ ପାଇଁ କାହିଁକି ଗାୟିକା ସାଜିଲେ ନାୟିକା….

ଭୂବନେଶ୍ବର ୧୨।୧: ( ସଂକେତ୍ ଟିଭି) ସେ କେବେ ଭାବି ନଥିଲେ , ସେଦିନ ମଂଚରେ ତାଙ୍କୁ ଅଭିନୟ କରିବାକୁ ପଡିବ । ପୁଣି ଅନ୍ୟ କୌଣସି ଚରିତ୍ରରେ ନହେଁ , ହିରୋଇନ ରୋଲ୍ କଲେ । ପ୍ରତିଦିନ ସେ ଯାତ୍ରା ଦେଖନ୍ତି, ଆଉ କଳାକାରଙ୍କ ପାଇଁ ସେ କଣ୍ଠ ଦାନ କରନ୍ତି । ତେବେ ସେଦିନ ରାତିରେ ସେହି ଯାତ୍ରା ପାର୍ଟିର ହିରୋଇନଙ୍କ ଦେହ ହଠାତ୍ ଅସୁସ୍ଥ ହୋଇ ପଡିଲା, ଆଉ ସେ ମେଡିକାଲରେ ଆଡମିଶନ ହେଲେ । ଟିକେଟ ସବୁ ବିକ୍ରି ସରିଥିଲା, ପୁରା ହାଉସ ଫୁଲ । ତେବେ ଯାତ୍ରା କେମିତି ହେବ… କିଏ କରିବ ହିରେଇନ ରୋଲ୍ … ସମସ୍ତେ ଚିନ୍ତାରେ ଥିବା ବେଳେ, ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍ କହିଥିଲେ – ଗାୟିକା କରିବ ନାୟିକାର ଅଭିନୟ । ତେବେ କିଏ ସେ ଗାୟିକା…. କେଉଁ ଯାତ୍ରା ପାର୍ଟି…. କେଉଁ ନାଟକ…..

ତାରାପୁର ଅପେରାରେ ଅଭିନୟ କରୁଥିଲେ ମହେନ୍ଦ୍ର ଦାସ । ସେହି ସମୟରେ ଗୋଟିଏ ନାଟକ ଥିଲା -ଏମାନଙ୍କ ଅନ୍ତେ କଳିଯୁଗ ଶେଷ । ଏହି ନାଟକରେ ମହେନ୍ଦ୍ର ଦାସ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବେଳେ ନାୟିକା ଭୂମିକାରେ ଦୀପା ଅଭିନୟ କରୁଥିଲେ । ଆଉ ମହେନ୍ଦ୍ର ଦାସଙ୍କ ପତ୍ନୀ ବେବିନା ଦାସ ଗୀତ ଗାଉଥିଲେ । ସେଦିନ ରାତିର ନାଟକ ଥିଲା ଏମାନଙ୍କ ଅନ୍ତେ କଳିଯୁଗ ଶେଷ । ଆଉ ସେହି ସଂଧ୍ୟାରେ ହିରୋଇନ ଦୀପାଙ୍କ ଦେହ ଖରାପ ହେବା ସହ ସେ ମେଡିକାଲରେ ଆଡମିଶନ ହେଲେ । ତାଙ୍କ ରୋଲ୍ କିଏ କରିବ , ପାର୍ଟି ମାଲିକ ଆଉ ମ୍ୟାନେଜରଙ୍କ ମୁଣ୍ଡ ଖରାପ ହୋଇଗଲା । ନାଟକର ଲିଡ୍ ରୋଲ୍ କିଏ କରିବ …. ଠିକ ଏହି ସମୟରେ ମହେନ୍ଦ୍ର ଦାସ କହିଲେ- ଗାୟିକା କରିବ ନାୟିକା ରୋଲ୍ , ଅର୍ଥାତ ତାଙ୍କ ପତ୍ନୀ ବେବିନା ହିରୋଇନ ରୋଲ୍ କରିବ ବୋଲି ସେ କହିଦେଲେ । ସେତେବେଳେ ବେବିନା ଚମକି ପଡିଥିଲେ, ସେ ସେହି ସମୟରେ ସାତ ମାସର ଗର୍ଭବତୀ ଥିଲେ । ତାଙ୍କ ବଡ ଝିଅ ଥିଲା ପେଟରେ । ନାଟକର ଚରିତ୍ର ନାଁ ଥିଲା କଇଁ …. ଆଉ ସେହି କଇଁ ଭୂମିକାରେ ସେଦିନ ବେବିନା ଅଭିନୟ କରିଥିଲେ , ତା ସହ ମଂଚରୁ ଆସି ତଳେ ଗୀତ ବି ଗାଉଥିଲେ ।

ସେହି ନାଟକର ଏକ ସିନ୍ରେ ମହେନ୍ଦ୍ର ଦାସ ତାଙ୍କୁ ବଳକ୍ରାର କରୁଥିବା ଦୃଶ୍ୟ ଥିଲା । ନୃତ୍ୟ, ଡାଇଲଗ ସବୁକିଛି ଭଲ ଭାବେ ନିଭାଇଥିଲେ ବେବିନା….. ସେହି ରାତି ତାଙ୍କ ପାଇଁ ଅଭୁଲା । ସକାଳ ହେଲା ନାଟକ ସରିଲା , ଗ୍ରୀନ ରୁମକୁ ଅନେକ ଦର୍ଶର ଆସି କଇଁକୁ ଖୋଜିଲେ , ଆଉ କହିଲେ- ବହୁତ ଭଲ ଅଭିନୟ କରୁଥିଲେ । ପତ୍ନୀଙ୍କ ପ୍ରଶଂସାରେ ମହେନ୍ଦ୍ର ଦାସ ବହୁତ ଖୁସି ହୋଇଥିଲେ । ତେବେ ସେହି ରାତି ପରେ ଆଉ କେବେ ବେବିନା ମଂଚରେ ଅଭିନୟ କରି ନାହାଁନ୍ତି…. କେମିତି ବା କରିବେ, ସେ ପରା ମଂଚକୁ ଅଲବିଦା କରି ସଂସାର ନାଆରେ ନାଉରି ସାଜିଲେ । ଆଜି ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍ ନାହାଁନ୍ତି, ପତ୍ନୀ ବେବିନା ସେହି ରାତି କଥା କହି କାନ୍ଦି ପକାଉଛନ୍ତି ।

Leave a Reply

Your email address will not be published. Required fields are marked *