ଛାଡ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫି
ଭୂବନେଶ୍ବର ,୧୨/୦୧: ଛାଡ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫି । ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫି ଛାଡ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ ।
ସୂଚନା ଅନୁସାରେ, କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରି ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି। କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି ।ଏହି ଫି ଛାଡ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରତି ପରୀକ୍ଷାର୍ଥୀଙ୍କୁ ୪୨୦ ଟଙ୍କା ଲେଖାଏଁ ପରୀକ୍ଷା ଫିସ ଦେବାକୁ ପଡିଥାଏ । ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ ।