ମକରସଂକ୍ରାନ୍ତିରେ ବିଜେପିରେ ଯୋଗଦେବେ ଜୀବନ ପ୍ରଦୀପ ଦାସ

ବାଲେଶ୍ବର, ୧୩/୧: ( ସଂକେତ୍ ଟିଭି): ବିଜେପିରେ ଯୋଗଦେବେ ଜୀବନ ପ୍ରଦୀପ ଦାସ । ସେ ଆସନ୍ତାକାଲି ମକର ସଂକ୍ରାନ୍ତି ଦିନ ସକାଳ ୧୧ଟା ସମୟରେ ବାଲେଶ୍ବର ସହରର ଆତିଥ୍ଯ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ଉତ୍ସବରେ ବିଜେପିରେ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । ଏହି କାର୍ଯ୍ଯକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହିବେ ବିଜେପିର ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ସୂଚନା ଦେଇଛନ୍ତି ।

ଜୀବନ ପ୍ରଦୀପ ଦାସ ନଭେମ୍ବର ୬ ତାରିଖରେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଉପନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତାଙ୍କୁ ନଭେମ୍ବର ୫ ତାରିଖରେ ଦଳରୁ ନିଲମ୍ବିତ କରିଥିଲେ ।

ଜୀବନ ପ୍ରଦୀପ ଦାସ ବାଲେଶ୍ୱର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲେ। ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ମୃତ୍ୟୁ ଯୋଗୁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଶ୍ରୀ ଦାସ ଲବି କରି ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲେ। ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବିଜେଡି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ତେବେ ଜୀବନ ପ୍ରଦୀପ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ବର ସଦର ଆସନରେ ବିଜୟୀ ହୋଇଥିଲେ । ତେବେ ଏହା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି । ସେପଟେ ଆଗାମୀ ମୁନିସିପାଲିଟି ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଜୀବନ ପ୍ରଦୀପଙ୍କୁ ଦଳରେ ସାମିଲ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *