ପଞ୍ଚାୟତ ସମିତି ବୈଠକକୁ ବର୍ଜନ କଲେ ବାଲେଶ୍ବର ସାଂସଦ

ବାଲେଶ୍ବର ୧୩।୧: ପକ୍ଷପାତିତା, ଅବହେଳା ଓ ଅସହଯୋଗ କାରଣରୁ ଆଜି ବାଲେଶ୍ବର ଜିଲ୍ଲା ବସ୍ତା ପଞ୍ଚାୟତ ସମିତି ବୈଠକକୁ ଅବୈଧ କହି ବାଲେଶ୍ବର ସାଂସଦ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜିଲ୍ଲା ପ୍ରତିନିଧି ଉମାକାନ୍ତ ମହାପାତ୍ର ବୈଠକ ବର୍ଜନ କରିବା ସହିତ ଉକ୍ତ ବୈଠକକୁ ଅବୈଧ ଘୋଷଣା କରିବା ପାଇଁ ଉଚ୍ଚ କତୃପକ୍ଷଙ୍କ ଠାରେ ଦାବି ଉପସ୍ଥାପନ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ କ୍ରମାଗତ ଭାବେ ବସ୍ତାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ପକ୍ଷରୁ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଅବହେଳା ଓ ଅସମ୍ମାନ କରିବାର ଅପଚେଷ୍ଟା କରିଆସୁଛନ୍ତି। ଏହାର ସଦ୍ୟତମ ଉଦାହରଣ ନିକଟରେ ହୋଇଥିବା ପଞ୍ଚାୟତ ସମିତିର ସଭାଗୃହ ଉଦଘାଟନ ଉତ୍ସବକୁ ସାଂସଦଙ୍କୁ ସୌଜନ୍ଯତା ମୂଳକ ନିମନ୍ତ୍ରଣ କରାଯାଇନଥିଲା, କି ଫଳକରେ ନାମ ମଧ୍ୟ ରହିଲା ନାହିଁ ।

ପଞ୍ଚାୟତ ସମିତିର ବୈଠକ ମାନ ସାଂସଦଙ୍କୁ ନ ଜଣାଇ, ସାଂସଦଙ୍କ ପାଖରୁ ସମୟ ନନେଇ କରାଯାଉଛି। ବୈଠକର ଦିନେ ଦୁଇଦିନ ପୁର୍ବରୁ WhatsAppରେ ଜଣାଇ ଦିଆଯାଉଛି, ଯାହାକି ବିଦ୍ଧି ବ୍ଯବସ୍ଥାକୁ ଉଲ୍ଲଙ୍ଘନ କରୁଛି। ଏସବୁର ବାରମ୍ବାର ତାଗିଦ ସ୍ବତ୍ତେ କୌଣସି ପ୍ରତିକାର ହେଉ ନଥିବାରୁ ଆଜିର ବୈଠକରେ ଏସବୁ ପ୍ରସଙ୍ଗ ଉପସ୍ଥାପନ କରି ବୈଠକ ବର୍ଜନ କରିଛନ୍ତି।

ବୈଠକରେ ବସିଲେ କାଳେ ପଞ୍ଚାୟତ ସମିତିରେ ହେଉଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ପର୍ଦାଫାସ ହୋଇଯିବ ତେଣୁ ତାଙ୍କୁ ବୈଠକରୁ ଦୂରେଇ ରଖିବା ପାଇଁ ଏଭଳି ହୀନ ଚକ୍ରାନ୍ତ କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବ୍ଲକରେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଚୟନ ମଧ୍ୟ ଶାସକ ଦଳର ଇଚ୍ଛାରେ ହେଉଛି, ରାଜନୈତିକ ବିଦ୍ବେଷ କାରଣରୁ ଯୋଗ୍ଯ ହିତାଧିକାରୀ ମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ବ୍ଲକ କତୃପକ୍ଷଙ୍କ ଏଭଳି ଅସୂୟା ମନୋଭାବ ପାଇଁ ବ୍ଲକରେ ସାମଗ୍ରିକ ବିକାଶ ହେଇପାରୁ ନାହିଁ। ବ୍ଲକ କତୃପକ୍ଷଙ୍କ ଏତାଦୃଶ ଆଚରଣ ବିରୁଦ୍ଧରେ ଏବଂ ଆଜିର ବୈଠକର ବୈଧତା ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀ ମାନଙ୍କୁ ଅବଗତି କରାଯିବା ସହିତ ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତିର ଏଭଳି ମନମୁଖୀ କାମକୁ ଶ୍ରୀ ମହାପାତ୍ରଙ୍କ ସମେତ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ , କମଲଲୋଚନ ଦାସ, ସୁଶାନ୍ତ ବେରା, ରଞ୍ଜିତ ପ୍ରଧାନ, ସୁବୋଧଚନ୍ଦ୍ର ପଣ୍ଡା, ବସ୍ତା ବିଜେପିର ରବୀନ୍ଦ୍ର ଜୈନ, ମଣ୍ଡଳ ସଭାପତି ବସନ୍ତ ବାରିକ, ସଭାପତି ବସନ୍ତ ରଞ୍ଜନ ମହାନ୍ତି, ପ୍ରଦୀପ ପଣ୍ଡା, ଦେବାଶିଷ ମହାପାତ୍ର, ଖଗେନ୍ଦ୍ର ନାୟକ ପ୍ରମୁଖ ବ୍ଲକ ସାମନାରେ ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *