ମୋନାଲିସା….କାହିଁ ଛାଡି ଚାଲିଗଲୁ ମୋତେ…. ଏହି ଲୋକପ୍ରିୟ ଗୀତ ପଛର ସତ କାହାଣୀ..

ଭୂବନେଶ୍ବର ୧୩।୧ : ( ସଂକେତ୍ ଟିଭି ) ମୋନାଲିସା, କାହିଁ ଛାଡି ଚାଲିଗଲୁ ମୋତେ…. ଟିକିଏ ହସେଇ ଲୁ, ବେଶୀ ତୁ କନେ୍ଦଇ ଲୁ… କି ସୁଖ ମିଳିଗଲା ତୋତେ….. ଏହି ସୁପର ହିଟ୍ ଓଡିଆ ଗୀତ ପଛରେ ରହିଛି ସତ କାହାଣୀ । ଗୀତିକାର ପଂଚାନନ ନାୟକ ଏହି ଗୀତର ଗୀତିକାର । ସ୍କ୍ରିନରେ ଏହି ଗୀତରେ ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ ଓ ନାୟିକା ଲିପି ଅଭିନୟ କରିଥିଲେ । ପ୍ରେମ ଆଉ ପ୍ରତାରଣାକୁ ନେଇ ଲେଖାଯାଇଥିବା ଏହି ଗୀତ ଶୁଣିଲେ ହୃଦୟ ବିଦାରି ହୋଇଯାଏ । ଗୀତିକାର ପଂଚାନନ ନାୟକ ମୋନାଲିସା ଭଳି ଅନେକ ହିଟ୍ ଗୀତ ଲେଖିଛନ୍ତି, ଯଥା- ଖେଳନା, କଣ୍ଢେଇ, ପାଉଁଶ, ସମାଧୀ, ଆତ୍ମା କାନ୍ଦୁଛି .. ଏମିତି ଅନେକ । ତେବେ ମୋନାଲିସା ଗୀତରେ ଥିଲା ତାଙ୍କ ଜୀବନର ସତ କାହାଣୀ…..


ଗୀତିକାର ପଂଚାନନ ନାୟକ ଏକ ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଭଦ୍ରକ ଜିଲ୍ଲା ତିହିଡି ଅଂଚଳରେ ତାଙ୍କ ଘର । ଶୈଶବ ଆଉ କିଶୋର ଅବସ୍ଥା ତାଙ୍କର ଅଭାବ ଅନଟନରେ ସଢି ହୋଇଥିଲା । ଆଉ ଯୌବନର ପହଲି ପାହାଚରେ ଯେତେବେଳେ ସେ ପାଦ ଥାପିଲେ , ତାଙ୍କ ଗାଁର ଝିଅ ମାତନ ସହ ପ୍ରେମ ଗଢି ଉଠିଲା । ଡାକ ନାଁ ସିନା ମାତନ , ତା ଭଲ ନାଁ ଥିଲା ମୋନାଲିସା…….. ଗରିବ ପୁଅ ପଂଚାନନ, ଧନୀ ଝିଅ ମୋନାଲିସା ସହ ଗଢି ଉଠିଥିଲା ପ୍ରେମର ତାଜ ମହଲ । ମୋନାଲିସା ତାକୁ ପର କରିଦେଇ ଆଉ କାହାକୁ ଜୀବନସାଥି କରିନେବ , ଏକଥା ପଂଚାନନ ସ୍ୱପ୍ନରେ ବି ଭାବି ନଥିଲେ । ପ୍ରେମ ସଫଳ ହେଲା ନାହିଁ …ମୋନାଲିସା ସିନ୍ଥିରେ ପଂଚାନନ ସିନ୍ଦୂର ଦେଇ ପାରିଲା ନାହିଁ । ଆଉ ତାହାରି ଆଗରେ ସେ ଧନୀ ଆଉ ଉଚ୍ଚ ଶିକ୍ଷିତ ଯୁବକ ସହ ବାହା ହୋଇ ପଲାଇଲା । ପ୍ରେମ ସିନା ସଫଳ ହେଲା ନାହିଁ, ହେଲେ ପଂଚାନନ ସଫଳ ଗୀତିକାର ବନିଗଲେ । ଖେଳନା, କଣ୍ଢେଇ, ପାଉଁଶ, ସମାଧୀ, ଆତ୍ମା କାନ୍ଦୁଛି ପ୍ରାୟ ସବୁ ଗୀତରେ ରହିଛି ମୋନାଲିସାଙ୍କ ଛାପ । ଖେଳନା ଭାବି ତୁ ଖେଳିଲୁ ଲୋ ମୋତେ…. ପାଉଁଶ ତଳେ ମୁଁ ସାଇତି ରଖିବି….. ମୋ ସମାଧୀ ତୋତେ…. ତୋତେ ମୋ ରାଣ….ଏମିତି ସବୁ ଗୀତରେ ପଂଚାନନ ମୋନାଲିସାଙ୍କୁ ଝୁରି ହେଉଥିବା ବାରି ହୋଇ ପଡୁଛି ।

ଏବେ ମୋନାଲିସା ତାଙ୍କ ଦୁଇ ଝିଅ ଓ ସ୍ୱାମୀଙ୍କ ସହ ଆମେରିକାରେ ରହୁଥିବା ବେଳେ ପଂଚାନନ ଦୁଇ ପୁଅ ଆଉ ପତ୍ନୀଙ୍କ ସହ ଭୂବନେଶ୍ୱରରେ ରହୁଛନ୍ତି । ମୋନାଲିସା ଆଉ ପଂଚାନନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ , ହୁଏତ ଏତେ ସବୁ ସୁନ୍ଦର ଗୀତ ଓଡିଶାବାସୀ ଶୁଣି ପାରି ନଥାନ୍ତେ । ଈଶ୍ୱର ଯାହା କରିଛନ୍ତି ଠିକ୍ କରିଛନ୍ତି । ପଂଚାନନ ଓ ମୋନାଲିସା ଉଭୟଙ୍କ ପରିବାର ଭଲରେ ରୁହନ୍ତୁ , ଇଶ୍ୱରଙ୍କ ନିକଟରେ ଏତିକି କାମନା କରୁଛି ସଙ୍କେତ ଟିଭି ପରିବାର……

Leave a Reply

Your email address will not be published. Required fields are marked *