ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ନବୀନ

କଳାହାଣ୍ଡି ୧୪/୦୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ କଳାହାଣ୍ଡି ଗସ୍ତ କରି ଉପର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେଠାରେ ସେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । କରୋନା ଲକଡାଉନ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଗସ୍ତ। ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ଏବେ ୯୦ଟି ଗାଁ ଉପକୃତ ହେବେ ।

ଏହି ଅବସରରେ ନବୀନ କହିଥିଲେ ଯେ, ଦିନେ ଭୋକର ଭୂଗୋଳରେ ନିଜ ସ୍ଥାନ ରଖିଥିବା କଳାହାଣ୍ଡି ଆଜି ବିକାଶର ମଡେଲ ହୋଇଛି। ଓଡ଼ିଶାର ଭାତହାଣ୍ଡି ହୋଇଛି କଳାହାଣ୍ଡି। ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକି ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ କଳାହାଣ୍ଡିକୁ ବିଜୁ ପଟ୍ଟନାୟକଙ୍କ କଳାହାଣ୍ଡି ସହ ଥିବା ସଂପର୍କର ସ୍ମୃତି ଚାରଣ କରିଥିଲେ।

ଜୟପାଟଣା ବ୍ଲକ ମଙ୍ଗଳପୁରରେ ଉପର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ସହିତ ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ୫୪ଟି ପ୍ରକଳ୍ପର ସେ ଉଦ୍ ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଯେଉଁଥିରେ ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ପ୍ରକଳ୍ପ ରହିଛି।

କଳାହାଣ୍ଡିରେ ଇନ୍ଦ୍ରାବତୀ ମ୍ୟୁଜିଅମ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ମ୍ୟୁଜିଅମରେ କଳାହାଣ୍ଡି ବିକାଶର କାହାଣୀ ସ୍ଥାନ ପାଇବ। ଜୟପାଟଣା ମଗଂଳପୁର ପମ୍ପ ହାଉସ ପରିସରରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ ୨୫ ଶହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀ ସାମିଲ ହୋଇଥିଲେ। ଜିଲ୍ଲାର ୩୧୦ ଟି ପଞ୍ଚାୟତରେ ଏଲଇଡି ମାଧ୍ୟମ ରେ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା । ଏହି ସଭାରେ ୧୫ ଜଣ ମନ୍ତ୍ରୀ, ୭୦ରୁ ଅଧିକ ବିଧାୟକଙ୍କ ସମେତ ସରକାରଙ୍କ ବିଭିନ୍ନ ନିଗମର ଅଧ୍ୟକ୍ଷ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *