ସ୍ୱାମୀଙ୍କ ଜୁଇର ଚିତା ଲିଭି ନଥିଲା, ପୁଣି ମଥାରେ ସିନ୍ଦୂର ହାତରେ ଚୁଡି ପିନ୍ଧି ହେବାକୁ ପଡିଲା ସଧବା….

ଭୂବନେଶ୍ବର (ସଂକେତ୍ ଟିଭି) ଜୀବନ ବେଦୀରେ ଭାଗ୍ୟ କେତେବେଳେ କଉଡି ଖେଳିବ, ସେକଥା କିଏ ବା କହିବ । ସମୟର ଚକା ଉଉଁରୀ ଖେଳରେ କେତେବେଳେ ଦୁୃଃଖର ପାହାଡ ମୁଣ୍ଡ ଉପରେ ଖସି ପଡେ ତ ପୁଣି କେତେବେଳେ ନିଜ ଆଖିର ଲୁହରେ ଶୋଷ ମେଂଟାଇବାକୁ ପଡେ । ହଠାତ୍ ହୃଦଘାତରେ ସ୍ୱାମୀ ଆର ପାରିକୁ ଚାଲିଗଲେ । ହିନ୍ଦୁ ରୀତିନୀତି ଅନୁସାରେ ଶବଦାହ କରାଯାଉଥିଲା । ସ୍ୱାମୀଙ୍କ ଶବ ମଶାଣୀକୁ ନେବା ଆଗରୁ ତାଙ୍କ ହାତର ଚୁଡିକୁ ଭାଙ୍ଗି ଦିଆଗଲା ଆଉ ମଥାର ସିନ୍ଦୂରକୁ ଲିଭା ଗଲା । ମଶାଣିରେ ସ୍ୱାମୀଙ୍କ ଜୁଇ ଜଳୁଥିଲା , ଆଉ ଘରେ ପିତା ଭାତ ହୋଇ ନ ଥାଏ । ସେହି ସମୟରେ ପୁଣି ତାଙ୍କୁ ମଥାରେ ସିନ୍ଦୁର ଆଉ ହାତରେ ଚୂଡି ପିନ୍ଧିବାକୁ ପଡିଲା । ସେହି ମହିଳା ହେଉଛନ୍ତି ଅଭିନେତ୍ରୀ ଛବିରାଣୀ ବେହେରା ।

ଓଡିଆ ଯାତ୍ରା ଜଗତର ଆଗଧାଡିର କଳାକାର ଛବିରାଣୀଙ୍କ ଜୀବନରେ ଏମିତି ଘଟଣା ଘଟିଛି । ଅଭିମାନୀ ଲଳିତା, ଅଣପୁରୁଷା, ଆକାଶବାଣୀ କଟକ, ଧର୍ମ ହଜିଗଲା ଧର୍ମ ଦାଣ୍ଡରେ , ପିପିଲି ଝିଅ ମୋତେ ବିଚାର ଦିଅ , ସତ ମଶାଣିରେ ମିଛ କୋକେଇ ଆଦି ନାଟକରେ ଜୀବନ୍ତ ଅଭିନୟ କରିଥିବା ଛବିଙ୍କ ଜୀବନ ଆକାଶରେ କଳା ବାଦଲ ଘୋଟି ଯାଇଛି । ଛବିଙ୍କ ଏକମାତ୍ର ସନ୍ତାନ , ତାଙ୍କ ଝିଅ ଯୁକ୍ତ ତିନି ଶେଷ ବର୍ଷରେ ପଢୁଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଗଲା । ଝିଅକୁ ହରାଇ ସ୍ୱାମୀଙ୍କ ମୁହଁ ଚାହିଁ ଦିନ କାଟି ଦେଉଥିଲା । ଝିଅ ମୃତ୍ୟୁର ଠିକ୍ ଦୁଇ ବର୍ଷ ପରେ , ୨୦୧୪ ମସିହା ମାର୍ଚ୍ଚ ମାସ ୧୯ ତାରିଖ ଦିନ ସ୍ୱାମୀ ଧୀରେନ୍ଦ୍ର ସ୍ୱାଇଁଙ୍କର ବି ହୃଦଘାତରେ ମୃତ୍ୟୁ ହୋଇଗଲା । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଅପେରା ପାର୍ଟିରେ ଅଭିନୟ କରୁଥିଲେ । ଆଉ ସ୍ୱାମୀଙ୍କ ମୃତ୍ୟୁ ପରେ ଶବକୁ ନିଜ ଗାଁ ବାଲେଶ୍ୱର ଜିଲ୍ଲା ସୋରକୁ ଅଣାଗଲା । ସେହିଦିନର ଘଟଣା- ମଶାଣିରେ ସ୍ୱାମୀଙ୍କ ଜୁଇ ଜଳୁଥିଲା , ଆଉ ଘରେ ପିତା ଭାତ ହୋଇ ନ ଥାଏ । ସେହି ସମୟରେ ପୁଣି ଛବି ମଥାରେ ସିନ୍ଦୁର ଆଉ ହାତରେ ଚୂଡି ପିନ୍ଧି ମଂଚକୁ ଚଢିଲେ । ଛବିଙ୍କ ଅଭିନୟ ପାଇଁ ବିକଳ୍ପ ନଥିଲା । ସେଥିପାଇଁ ସେ ବାଧ୍ୟ ହୋଇଥିଲେ ସେହି ରାତିରେ ମଂଚକୁ ଚଢିବା ପାଇଁ । ସେଦିନ ଗ୍ରୀନ ରୁମରେ ସେ ମଥାରେ ସିନ୍ଦୂର ପିନ୍ଧିବା ବେଳେ ତାଙ୍କ ହାତ ଥରୁଥିଲା ବୋଲି ଅଶ୍ରୁଭରା ନୟନରେ କହନ୍ତି ଛବିରାଣୀ ।

ତେବେ ଦୁଃଖ ତାଙ୍କର ସେତିକି ସରି ନାହିଁ । ଝିଅ ଓ ସ୍ୱାମୀକୁ ହରାଇ ନିସଙ୍ଗ ହୋଇଥିବା ଛବିକୁ ସହାୟତାର ହାତ ବଢାଇଲେ କଳିଙ୍ଗ ଗଣନାଟ୍ୟର ମାଲିକ ପ୍ରଦୀପ ମହାରଥି । ଛବି କଳିଙ୍ଗ ଗଣନାଟ୍ୟରେ ଅଭିନୟ ଜାରି ରଖିଥିିଲେ । କରୋନା କଟକଣା ପାଇଁ ଯାତ୍ରା ବନ୍ଦ ହୋଇଥିବା ବେଳେ ମହାରଥୀ ବାବୁ ବି ସବୁଦିନ ପାଇଁ ଆଖି ବୁଜିଦେଲେ । ଏବେ ଛବି କଣ କରିବେ … ଆଉ କଣ ସେ ମଂଚକୁ ଚଢିବେ , ନା ସବୁ ଦିନ ପାଇଁ ତାଙ୍କ ଅଭିନୟ ଜୀବନର ଯବନିକା ଟାଣିଦେବ, ସେ ନିଷ୍ପତି ସେ ନେଇ ପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *