ଉଷୁନା ଚାଉଳକୁ ନେଇ ଜୋର ଧରିଲା ରାଜନୀତି

ଭୂବନେଶ୍ବର , ୧୮।୧: ଓଡିଶାରେ ବଳକା ହେଉଥିବା ଉଷୁନା ଚାଉଳକୁ କେନ୍ଦ୍ର ନେଉନାହିଁ । ଏହି ଉଷୁନା ଚାଉଳ ସଂଗ୍ରହକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ଓଡ଼ିଶାରୁ ଉତ୍ପାଦିତ ଉଷୁନା ଚାଉଳର ମାତ୍ର ୫୦ ପ୍ରତିଶତ କେନ୍ଦ୍ର ନେବ । ୨୦୧୯-୨୦ରେ ଖରିଫରେ ୫୩ ଓ ରବିରେ ୭୦ ଲକ୍ଷ ଟନ ଉତ୍ପାଦନ ହୋଇଥିଲା । ସେଥିରୁ ମୋଟ୍ ୭୧ ଲକ୍ଷ ଟନ୍ ଚାଉଳ ଉତ୍ପାଦିତ ହୋଇଥିଲା । ବର୍ତମାନ ଏଥିରୁ ୪୮ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ବଳକା ରହିଛି । ଏହି ଚାଉଳକୁ କେନ୍ଦ୍ରସରକାର କିଣିବାକୁ ମନା କରିଛନ୍ତି । ସେପଟେ ଏଯାଏଁ ମୋଟ ବକେୟା ୬ ହଜାର ୫ଶହ ୫୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ । ବଳକା ଚାଉଳ ନ କିଣିଲେ ରାଜ୍ଯ ଉପରେ ଦଶ ହଜାର କୋଟି ଟଙ୍କାର ବୋଝ ପଡିବ । ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି ବିଜେଡି ନେତା ରୋହିତ ଓ ସ୍ନେହାଙ୍ଗିନି କହିଛନ୍ତି । ବିଜେପି ଲୋକଙ୍କୁ ଭୁଆଁ ବୁଲାଉଛି । ଚାଷୀଙ୍କ ପାଇଁ କିଛି କରିବାର ଅଛି ତେବେ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେଉ ବୋଲି ସେମାନେ ଦାବି କରିଛନ୍ତି ।

ସେପଟେ ବିଜେଡିର ଏହି ଆରୋପର ଉତ୍ତରରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଚାଷୀଙ୍କ କଥା କହୁଥିବା ବିଜେଡି ନେତାମାନେ ଧାନ କିଣିବା ବିଷୟରେ ନକହି ଚାଉଳ ସମ୍ପର୍କରେ କହିଲେ। ତେବେ ଏଠି କହିରଖେ ଚାଷୀ ଚାଉଳ ବିକେନାହିଁ, ଧାନ ବିକେ। ଆଉ ଚାଉଳ ବିକ୍ରିକରେ ମିଲର। ଏଥିରୁ ଜଣାପଡ଼ୁଛି ବିଜେଡି ନେତା ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରିବାକୁ ଆସିଥିଲେ।

କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଧାନ କିଣିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପଇସା ଦେଇଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ଅଧିକରୁ ଅଧିକ ମଣ୍ଡି ଖୋଲି ପାରିଲେ ନାହିଁ। ଡିସେମ୍ୱର ୧ରେ ମଣ୍ଡି ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ରାଜ୍ୟରେ କେଉଁଦିନ ମଣ୍ଡି ଖୋଲିଲା ଓ ବନ୍ଦ ହେଲା, ତାସମ୍ପର୍କରେ ଖୋଦ ଚାଷୀ ଜାଣିପାରିଲା ନାହିଁ। ଏପରି ସ୍ଥିତିରେ ଏମାନେ ଆଜି କେନ୍ଦ୍ର ଅବହେଳା କଥା କରୁଛନ୍ତି ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଗତ ୧୬ ତାରିଖରେ ଚାଷୀଙ୍କ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ରାଜ୍ଯ ବିଜେପି ଚେତାବନୀ ଦେଇଥିଲା । ଆସନ୍ତା ୨୧ରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଫିସ ଘେରାଉ କରାଯିବା ସହିତ ଧାରଣା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *