ଟିମ୍ ଇଣ୍ଡିଆ ପାଇଁ ୫ କୋଟି ଟଙ୍କାର ବୋନସ ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ ୧୯।୧: ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଟ୍ୱିଟ କରି ଖେଳାଳିଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି।
ଗାଙ୍ଗୁଲି କହିଛନ୍ତି, “ଏହା ଏକ ସ୍ମରଣୀୟ ବିଜୟ। ଅଷ୍ଟ୍ରେଲିଆକୁ ଯାଇ ସେଠାରେ ଏଭଳି ସ୍ଥିତିରେ ମ୍ୟାଚ୍ ସହ ସିରିଜ୍ ଜିତିବା ନିଶ୍ଚିତ ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ। ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ଟଙ୍କାର ବୋନସ ଘୋଷଣା କରୁଛି। ସିରିଜ୍ ଜିତିବାର ମୂଲ୍ୟ ଏହି ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ।”
ଜୟ ଶାହା ଏହି ଅବସରରେ କହିଛନ୍ତି ଯେ ଆଜିର ବିଜୟ ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ । ସେ ଯୁବ ବ୍ରିଗେଡଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି।
ସେପଟେ ଟିମ୍ ଇଣ୍ଡିଆର ବ୍ରିସବେନ୍ ବିଜୟକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି ।
ମଙ୍ଗଳବାର ବ୍ରିସବେନ୍ ଟେଷ୍ଟରେ ଦଳ ବିଜୟୀ ହେବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ କବଜା କରିଛି । ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ବ୍ରିସବେନରେ ପରାଜିତ ହୋଇଛି । ରିଷଭ ପନ୍ତଙ୍କ ଧୂଆଁଧାର ଇଂନିସ ବଳରେ ଭାରତ ଏହି ସଫଳତା ହାସଲ କରିପାରିଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଆଜିଙ୍କ୍ୟ ରାହାଣେ ଦଳକୁ ଏହି ବିଜୟ ଭେଟିଦେଇଛନ୍ତି ।
ସୂଚନା ମୁତାବକ, ପଞ୍ଚମ ଦିନର ଆରମ୍ଭରୁ ରୋହିତଙ୍କ ୱିକେଟ ଭାରତ ଶିବିରକୁ ଚିନ୍ତାରେ ପକାଇଥିଲା । ତେବେ ଶୁଭମନ୍ ଗିଲ୍ ଓ ଚେତେଶ୍ବର ପୂଜାରା ସର୍ତକତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଲିୟନଙ୍କ ବଲରେ ଆଉଟ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଶୁଭମନ୍ । ଆଉ ଏହାପରେ ଅଧିନାୟକ ରାହାଣେ ଦ୍ରୁତ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ । ତେବେ ପୂଜାରା ଓ ପନ୍ତ ଧୈର୍ଯ୍ୟର ସହ ଦୀର୍ଘ ସମୟ ଧରି କ୍ରିଜରେ ରହି ବ୍ୟାଟିଂ କରିବା ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲା । ପୂଜାରାଙ୍କ ୱିକେଟ ପତନ ପରେ ମୟଙ୍କ ପୁଣିଥରେ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ । ତେବେ ଗୋଟିଏ ପଟେ ପନ୍ତ ଦୃଢତାର ସହ ବ୍ୟାଟିଂ କରି ଭାରତକୁ ବିଜୟ ଆଡକୁ ନେଉଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ଏହି ବିଜୟକୁ ଆହୁରି ସହଜ କରିଦେଇଥିଲା । ଶେଷରେ ୩ ୱିକେଟରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ ।