ସୈଫ ଅଲି ଖାନଙ୍କ ୱେବ ସିରିଜ ତାଣ୍ଡବ କୁ ନେଇ ତାଣ୍ଡବ

ମୁମ୍ବାଇ, ୧୯।୦୧ :ସୈଫ ଅଲି ଖାନଙ୍କ ୱେବ ସିରିଜ ‘ତାଣ୍ଡବ’କୁ ନେଇ ତାଣ୍ଡବ ଆରମ୍ଭ ହୋଇଯାଇଛି। ୱେବ ସିରିଜର କିଛି ଦୃଶ୍ୟ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ନେଇ ଅଭିଯୋଗ ପରେ ବିବାଦ ଘନେଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ ଆମାଜନ ପ୍ରାଇମକୁ ସ୍ପଷ୍ଟୀକରଣ ମାଗିଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଏଥିସହିତ କିଛି ସ୍ଥାନରେ ’ତାଣ୍ଡବ’ ସିରିଜ୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଆମାଜନର ଏହି ସିରିଜ ଏକ ପଲିଟିକାଲ ଡ୍ରାମା । ଯେଉଁଥିରେ ସୈଫ ଅଲ୍ଲୀ ଖାନ୍ ଓ ଡିମ୍ପଲ କପାଡିଆଙ୍କ ସହ ତିଗମାଂସୁ ଧୁଲିଆ ଅଭିନୟ କରୁଛନ୍ତି । ଆମାଜନ ପ୍ରାଇମର ଏହି ୱେବ ସିରିଜରେ ସୈଫ ଏବଂ ଡିମ୍ପଲଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, ଅୟୁବ ଖାନ, ତିଗମାଂସୁ ଧୁଲିଆ, କୁମୁଦ ମିଶ୍ରା, ସାରା ଜେନ ଡିୟାସ, ଡିନୋ ମୌର୍ଯ୍ୟା, ଗୈହର ଖାନ, ଅନୁପ ସୋନୀ, କୃତିକା କାମରା, ହିତେନ ତେଜୱାନୀ, ଅମାୟରା ଦସ୍ତୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତାଣ୍ଡବ ୱେବ ସିରିଜ ଜାନୁଆରୀ ୧୫ ତାରିଖ ଦିନ ରିଲିଜ ହେଇଛି ।

ତେବେ ସିରିଜକୁ ନେଇ ଓଟିଟିରେ ଦିଆଯାଉଥିବା ଆପତ୍ତିଜନକ କମେଣ୍ଟକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଲର୍ଟ ହୋଇଯାଇଛି। ଖୁବ ଶିଘ୍ର ଏ ସମ୍ବନ୍ଧରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କୌଣସି ନିଷ୍ପତ୍ତି ନେଇପାରେ। ସରକାର ପୂର୍ବରୁ ହିଁ ସ୍ପଷ୍ଟ କରିଛନ୍ତି ଯେ, ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ଫିଲ୍ମ ବା କଣ୍ଟେଣ୍ଟକୁ ନେଇ ସେଲ୍ଫ ରେଗୁଲେସନ୍ କୋଡ୍ ପ୍ରସ୍ତୁତ କରନ୍ତୁ। ଯଦି ପ୍ଲାଟଫର୍ମ ନିଜେ କୋଡ଼ ପ୍ରସ୍ତୁତ ନ କରନ୍ତି ତାହେଲେ ସରକାର ନିଜେ କୋଡ୍ ତିଆରି କରିବାକୁ ବିଚାର କରିବେ।

ମନ୍ତ୍ରାଳୟ ସୂତ୍ର ଅନୁଯାୟୀ, ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ କିଛି ଦାୟିତ୍ୱ ମଧ୍ୟ ନିହିତ। କ୍ରିଏଟିଭ୍ ଫ୍ରିଡମ୍ ନାଁରେ ଆଇନ୍ ବ୍ୟବସ୍ଥାକୁ ବିଗାଡିବାକୁ ଅନୁମତି ଦିଆଯିବ ନାହିଁ। ମନ୍ତ୍ରାଳୟ ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି। ଯଦି ଏହିସବୁ ଫିଲ୍ମ ବଡ ପରଦାରେ ରିଲିଜ ହୋଇଥାନ୍ତା ତାହେଲେ CBFC ଓ Cable TV Regulation Act ର କଣ୍ଟେଣ୍ଟ ଗାଇଡଲାଇନ ପାଳନ କରିବାକୁ ପଡିଥାନ୍ତା।

ଟ୍ୱିଟରରେ ବିବାଦ ହେବାପରେ ଏବଂ ରାମ କଦମଙ୍କ ଟ୍ୱିଟ୍ ପରେ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜବଡେକରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ତାଣ୍ଡବ ୱେବ ସିରିଜ ଉପରେ ରୋକ ଲଗାଇବାକୁ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଦୃଢ ଆଇନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ଭାରତୀୟ ଜନତା ପାର୍ଟିର ଅନେକ ନେତା ଆରୋପ ଲଗାଇଛନ୍ତି ଯେ ଫିଲ୍ମରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଇଛି। ଏହି ପ୍ରସଙ୍ଗରେ ମୁମ୍ବାଇରେ ବିଜେପି ତରଫରୁ ରାମ କଦମଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ସେପଟେ ତାଣ୍ଡବର ପୂରା ଟିମ୍‌ ଏକ ପ୍ରେସ ବିବୃତି ଜାରି କରି ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଏହି ୱେବ ସିରିଜି କୌଣସି ବ୍ୟକ୍ତି, ଜାତି, କିମ୍ବା କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉନାହିଁ । ଏହା ଏକ କାଳ୍ପନିକ କଥା ବସ୍ତୁ ଉପରେ ଆଧାରିତ ଥିଲା। ଯଦି ଅଜାଣତରେ କାହାର ଭାବାବେଗକୁ ଆଘାତ ଲାଗିଛି ତାହେଲେ ପୂରା ତାଣ୍ଡବ ଟିମ୍ କ୍ଷମା ପ୍ରାର୍ଥନା କରୁଛି ।

Leave a Reply

Your email address will not be published. Required fields are marked *