ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ବିଜୟ

ବ୍ରିସବେନ୍, ୧୯|୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବ୍ରିସବେନ୍ ଟେଷ୍ଟ ମ୍ଯାଚରେ ଭାରତ ବିଜୟୀ ହୋଇଛି । ଭାରତକୁ ୩୨୮ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଭାରତ ସାତଟି ଓ୍ୱିକେଟ୍ ହରାଇ ଭାରତ ଆବଶ୍ୟକ ପାଇଁ ରନ ସଂଗ୍ରହ କରିଥିଲା । ଏହା ସହିତ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟିକିଆ ଟେଷ୍ଟ ସିରିଜକୁ ୨-୧ ରେ ଜିତି ବୋର୍ଡର ଗାଭସ୍କର ଟ୍ରଫି ହାସଲ କରିଛି । ଏହା ସହିତ ଭାରତ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡକୁ ଭାଙ୍ଗିଛି ।

ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ବେଳେ ଭାରତୀୟ ଟିମ୍‌ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍‌ରେ ପଛରେ ରହିଥିଲା । ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍‌ ଅଷ୍ଟ୍ରେଲିଆ । ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହାସହ ଭାରତକୁ ୩୨୮ ରନର ଟାର୍ଗେଟ୍ ମିଳିଥିଲା । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍‌ ନେଇଥିଲେ ।

ଟାର୍ଗେଟକୁ ପିଛା କରିବା ପାଇଁ ଦ୍ୱିତୀୟ ଇନିଂସରେ ପଡିଆକୁ ଓହ୍ଲାଇଥିବା ଭାରତ ସାତ ଓ୍ୱିକେଟ୍ ହରାଇ ବିଜୟ ରନ ସଂଗ୍ରହ କରିଥିଲା । ଋଷଭ ପନ୍ଥ, ଶୁଭମ ଗିଲ ଏବଂ ଚେତେଶ୍ବର ପୂଜାରା ଅର୍ଧଶତକ ହାସଲ କରିଥିଲେ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪/୦ ରନ କରିଥିଲା । ପଞ୍ଚମ ତଥା ଶେଷ ଦିନରେ ୧୦ ଓ୍ବିକେଟ୍ ବାକିଥାଇ ୩୨୦ ରନ ଆବଶ୍ୟକ କରୁଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ନିରାଶ କରିବା ପରେ ଟ୍ରାକ୍‌ରେ ଦମଦାର ବ୍ୟାଟିଂ କରିଥିଲେ ଶୁଭମାନ ଗିଲ । ସେ ଧୌର୍ଯ୍ୟର ସହ ବ୍ୟାଟିଂ କରି ୯୧ ରନ୍‌ର ମହତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ଚେତେଶ୍ବର ପୂଜାରା ମଧ୍ୟ କ୍ରିଜ୍‌ରେ ଜମି ରହି ୫୬ ରନ କରି ଆଉଟ ହୋଇଥିଲେ । ପରେ ଋଷଭ ପନ୍ତଙ୍କ ଦମଦାର ୮୯ ରନ୍‌ର ଇନିଂସ ବଳରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍ସ୍ ୪ ଓ୍ବିକେଟ୍ ହାସଲ କରିଥିବା ବେଳେ ନାଥାନ ଲାୟନ ୨ଟି ଏବଂ ଜୋସ୍‌ ହେଜେଲଉଡ୍‌ ଗୋଟିଏ ଓ୍ବିକେଟ୍‌ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *