ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋକେମିକାଲ ପ୍ରକଳ୍ପକୁ ବିରୋଧରେ ବିରାଟ ଚାଷୀମେଳି

ବାଲିଆପାଳ ୨୦।୧: ( ଉମାକାନ୍ତ ନାୟକ ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋକେମିକାଲ ପ୍ରକଳ୍ପକୁ ବିରୋଧ କରି ବାଲିବିଲଠାରେ ବିରାଟ ଚାଷୀ ମେଳି ଅନୁଷ୍ଟିତ ହୋଇଯାଇଛି । ଏଥିରେ ବଙ୍ଗୋପସାଗର ଉପକୂଳ ସଂଲଗ୍ନ ଚଉମୁଖ, ଡଗରା,ବେତଗଡ଼ିଆ, ଅଳାଡିହା ,ଜମ୍ଭିରାଇ, ନୂଆଗାଁ ଆଦି 6 ଟି ପଞ୍ଚାୟତର ଚାଷୀମାନେ ଯୋଗଦେଇଥିଲେ ।

ସୂଚନା ଅନୁସାରେ, ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ ରିଫାଇନାରୀ ପ୍ଲାଣ୍ଟ ଏବଂ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇସାରିଛନ୍ତି । ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ଯ ଆରମ୍ଭ ହୋଇଛି । ଏଠାରେ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଲକ୍ଷାଧିକ ଲୋକ ରୋଜଗାରକ୍ଷମ ହୋଇପାରିବେ ବୋଲି ସରକାର ଏବଂ କମ୍ପାନୀ ଦାବି କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କାର୍ଯ୍ଯ ଆରମ୍ଭ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ଏବଂ ଉପକୂଳ ଭିଟାମାଟି ସୁରକ୍ଷା କମିଟି ତୀବ୍ର ବିରୋଧ କରିଛନ୍ତି । ଏହି ଅଞ୍ଚଳ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାକାର ମାଟି ଉର୍ବର । ଏଠାରେ ଧାନ, ପାନ, ମୀନ, ନଡ଼ିଆ, ବାଦାମ ପ୍ରଭୁତି ଚାଷ ଖୁବ ଭଲ ହୋଇଥାଏ । ଏହି ସବୁ ଚାଷରୁ ଅଞ୍ଚଳବାସୀ ବର୍ଷକୁ 7 ଲକ୍ଷରୁ ଅଧିକ ଅର୍ଥ ଉପାର୍ଜନ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ତେଣୁ କୌଣସି ପରିସ୍ଥିତିରେ ବି ଅଞ୍ଚଳବାସୀ ଭିଟାମାଟି ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଆଜି ଏହି ପ୍ରକଳ୍ପ ବିରୁଦ୍ଧରେ ଅଳାଡିହା ପଞ୍ଚାୟତର ବାଲିବିଲ ହାଟ ପଡିଆ ଠାରେ ଅନୁଷ୍ଠିତ ଚାଷୀମେଳିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଯଦି ପ୍ରଶାସନ ଅଞ୍ଚଳବାସୀ ଙ୍କ ଗୁହାରୀ ନଶୁଣିବେ ତାହାଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନ କୁ ଆହୁରୀ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।ଏହି ଜନ ସମାବେଶ ରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୂନ ଗୋ, ପରିବେଶ ବିତ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ଦାସ, ସିପିଆଇ ନେତା ଜୟନ୍ତ ଦାସ, ଭିଟାମାଟି ସୁରକ୍ଷା ସମିତିର ଆବାହକ ଅରୁଣ ଜେନା, ଗଣତାନ୍ତ୍ରୀକ ମହିଳା ସମିତିର ନେତ୍ରୀ ତାପସି ପ୍ରହରାଜ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡଙ୍ଗୀ, କିଶୋର ଦାସ, ବାଲେଶ୍ବର ସିଭିଲ ସୋସାଇଟିର ଆବାହକ ମନୋଜ ନାୟକ ଓ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *