ନାବାଳିକାକୁ ଅପହରଣ କରି ରାଜ୍ଯ ବାହାରକୁ ଚାଲାଣ ଯୋଜନା ପଣ୍ଡ

ବସ୍ତା ୨୦।୧: ( ପ୍ରଶାନ୍ତ କୁମାର ସେନାପତି) ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ରାଜନଗର ଗ୍ରାମର ଜଣେ ନାବାଳିକାକୁ ଅପହରଣ କରି ବାହାରକୁ ଚାଲାଣ ପାଇଁ ହୋଇଥିବା ଯୋଜନାକୁ ଗ୍ରାମବାସୀମାନେ ପଣ୍ଡ କରିଛନ୍ତି । ଗ୍ରାମର ଜନୈକ ନାବାଳିକାକୁ ଭୁବନେଶ୍ୱରରେ ଚାକିରୀ କରାଇ ଦେବା ପ୍ରଲୋଭନ ଦେଖାଇ ସେହି ଗାଁର କେଦାର ବେହେରା ନାମକ ଯୁବକ ତାଙ୍କୁ ଡାକିନେଇ ଘର ଭିତରେ ବନ୍ଦ କରି ରଖିଥିଲେ । ନାବାଳିକାର ପରିବାର ଲୋକେ ଝିଅକୁ ଘରେ ନପାଇ ଆଖ ପାଖରେ ବହୁ ଖୋଜା ଖୋଜି କରି ବି ପାଇନଥିଲେ । ତେବେ ନାବାଳିକାଙ୍କୁ ଯେଉଁ ଘରେ ବନ୍ଦ କରି ରଖାଯାଇଥିଲା ସେହି ଘର ଉପରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା । ସେହି ଘରକୁ ଗ୍ରାମବାସୀ ମାନେ ନଜରବନ୍ଦୀ କରି ରଖି ରାଇବାଣିଆ ଥାନାକୁ ଖବର ଦେଇଥିଲେ । ପୋଲିସ ସେହି ଘର ଉପରେ ଚଢାଉ କରି ଘରର କବାଟ ଭାଙ୍ଗି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଅପହରଣ କରିଥିବା ଜଣେ ଅଭିଯୁକ୍ତକୁ ମଧ୍ଯ ପୋଲିସ ଗିରଫ କରିଥିଲା । ଗିରଫ ହୋଇଥିବା ଯୁବକ ଜଣକ ରାଜନଗର ଗ୍ରାମର କେଦାର ନାଥ ବେହେରା । କେଦାର ତାଙ୍କର କିଛି ସହଯୋଗୀ ମାନଙ୍କ ସହ ମିଶି ଏହିଭଳି ଯୁବତୀ ଚାଲାଣ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ତେବେ ଘଟଣା ଘଟିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ରାଇବଣିଆ ପୋଲିସ ଗିରଫ ନକରି ଚୁପ ମାରି ବସିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ଗ୍ରାମବାସୀମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *