ଓଡିଆ ସିନେ ଜଗତର ପ୍ରଖ୍ଯାତ ହାସ୍ଯ ଅଭିନେତା ରବି ମିଶ୍ରଙ୍କ ପରଲୋକ

ଭୂବନେଶ୍ବର ୨୦।୧: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ରବି ମିଶ୍ରଙ୍କୁ ୬୪ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

ରବି ମିଶ୍ର ଅନେକ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ରବି ମିଶ୍ର ବେଶ ପ୍ରଶଂସା ସାଉଁଟିଥିଲେ । ଓଡିଶାର ପ୍ରତିଟି ଘରର ପାଇଁ ସେ ଏକ ଚିହ୍ନା ମୁହଁ ପାଲଟିଥିଲେ । ତେବେ ‘ହେ ପ୍ରଭୁ’ ହେଉଛି ତାଙ୍କର ଶେଷ ଅଭିନିତ ସିରିଏଲ । କଳା ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେ କହିଛନ୍ତି, ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ବାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।

ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ବିୟୋଗ ଖବରରେ ଧର୍ମେନ୍ଦ୍ର ପ୍ରଧାନ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ‘ଗୋପାଳ ରହସ୍ୟ’ ଧାରାବାହିକରେ ନିପୁଣ ଓ ବଳିଷ୍ଠ ଅଭିନୟ ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇଥିଲା । କଳା ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ।

Leave a Reply

Your email address will not be published. Required fields are marked *