ପୁରୁଣା ଗାଡି ରଖିଲେ ଦେବାକୁ ପଡିବ ଅଧିକ ଟ୍ଯାକ୍ସ

ନୂଆଦିଲ୍ଲୀ ୨୫।୦୧: ୮ ବର୍ଷର ପୁରୁଣା ଗାଡି ଉପରେ ଲାଗିବ ଗ୍ରୀନ ଟ୍ୟାକ୍ସ । ଏଥିପାଇଁ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ମଞ୍ଜୁରୀ ଦେଇଛନ୍ତି।

୮ ବର୍ଷର ପୁରୁଣା ଗାଡି ଉପରେ ଫିଟନେସ୍‌ ସାର୍ଟିଫିକେଟ୍ ନବୀକରଣ ସମୟରେ ଏହି ଟ୍ୟାକ୍ସ ଆଦାୟ କରାଯିବ।ତେବେ ଏହି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ଏହି ପ୍ରସ୍ତାବକୁ ରାଜ୍ୟମାନଙ୍କୁ ପଠାଯିବ । ଏହି ପ୍ରସ୍ତାବ ମୁତାବକ ବାଣିଜ୍ୟ ପରିବହନରେ ବ୍ୟବହୃତ ହେଉଥିବା ଗାଡିରେ ଗ୍ରୀନ ଟ୍ୟାକ୍ସ, ରୋଡ଼ ଟ୍ୟାକ୍ସର ୧୦ରୁ ୨୫ ପ୍ରତିଶତ ହିସାବରେ ଲାଗୁ କରାଯିବ। ଆଉ ବ୍ୟକ୍ତିଗତ ଗାଡି ଉପରେ ଏହି ଟିକସ ୧୫ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଛି । ସାର୍ବଜନୀନ ପରିବହନ ଗାଡି ଯେମିତି ସିଟି ବସ୍ ଉପରେ କମ ଗ୍ରୀନ ଟ୍ୟାକ୍ସ ଲଗାଯିବ। ତେବେ ସିଏନଜି, ଏଲପିଜି ଓ ଇଲେକ୍ଟ୍ରିକ ଗାଡି ପାଇଁ ଗ୍ରୀନ ଟ୍ୟାକ୍ସ ଲାଗୁ କରାଯିବ ନାହିଁ ।

ସରକାରୀ ବିଭାଗ ଓ ସାର୍ବଜନୀନ କ୍ଷେତ୍ରରେ ମାଲିକାନାରେ ଥିବା ଗାଡିର ପୁନଃନବୀକରଣ ଓ ସ୍କ୍ରାପିଂର ନୀତିକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ନୂତନ ନିୟମ ଅନୁଯାୟୀ, ୨୦୨୨ ଏପ୍ରିଲ ୧ରୁ ଏହି ନିୟମ ଅଧିସୂଚିତ କରାଯିବ। ମନ୍ତ୍ରଣାଳୟ କହିଛି ଯେ ବାଣିଜ୍ୟିକ ବାହାନ, ଯାହା ମୋଟ୍ ଗାଡିର ପ୍ରାୟ ୫ ପ୍ରତିଶତ ଅଂଶ ହେବ , ତାହା ପ୍ରଦୂଷଣରେ ପ୍ରାୟ ୬୫ ରୁ ୭୫ ପ୍ରତିଶତ ଯୋଗଦାନ ଦେଉଛନ୍ତି। ତେବେ ଟ୍ୟାକ୍ସରୁ ମିଳିବାକୁ ଥିବା ରାଜସ୍ଵର ଉପଯୋଗ ପ୍ରଦୂଷଣ ନିୟନ୍ତ୍ରଣରେ କରାଯିବ ବୋଲି
ପରିବହନ ମନ୍ତ୍ରଣାଳୟ ସୋମବାର ଦିନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *