ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍
ଭୂବନେଶ୍ବର ୨୭।୧: ଆଇଏଫଏସ୍ ତଥା ପୂର୍ବତନ ଅତିରିକ୍ତ ସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ, ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ବାପ ପୁଅଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।
ତେବେ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବାରୁ ସେମାନେ ଜାମିନ ମିଳିବା ପରେ ବି ପାଠକ ବାପ-ପୁଅ ଜେଲ୍ରୁ ବାହାରିପାରିବେ ନାହିଁ। ଏପରିକି ସେମାନଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରହିଛି।
ଗତ ନଭେମ୍ବର ମାସ ୨୫ ଓ ୨୬ରେ ଏହି ବହୁଚର୍ଚ୍ଚିତ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିଥିଲା। ରାଜ୍ଯ ଇତିହାସରେ ସବୁଠାର ବଡ଼ ଭିଜିଲାନ୍ସ ଚଢ଼ାଉ କୁହାଯାଉଥିବା ଏହି ମାମଲାରେ ଅଭୟକାନ୍ତଙ୍କୁ ଗିରଫ କରିଥିଲା । ଟାଟା ମୋଟର୍ସ ମାମଲାରେ ଆକାଶଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ ।
ଉଭୟଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ଘନ ଘନ ଜେରା କରିଥିଲା ଭିଜିଲାନ୍ସ । ସରକାର ଅଭୟଙ୍କ ଚାକିରିରୁ ନିଲମ୍ବିତ କରିବା ସହ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ପରେ ପରେ ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା । ପରେ ତାଙ୍କୁ ବି ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବାପପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ୍ ଦେଇଥିବା ବେଳେ ପ୍ରଦୀପଙ୍କୁ ଜାମିନ୍ ମିଳିନାହିଁ ।