ଦିନ ଦ୍ବିପ୍ରହରରେ ସୁଶାନ୍ତ ସିଂ ରାଜପୁତଙ୍କ ଭାଇଙ୍କୁ ଗୁଳି ମାଡ

ପାଟଣା ୩୧।୦୧: ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ଭାଇ ରାଜକୁମାର ସିଂଙ୍କୁ ଗୁଳି କରାଯାଇଛି। ରାଜକୁମାର ସିଂ ଏବଂ ତାଙ୍କ ସହଯୋଗୀ ଅଲି ହାସନଙ୍କୁ ବିହାରର ସାହାରସାଠାରେ ତିନି ଜଣ ଦୁର୍ବୃତ୍ତ ଗୁଳି କରିଛନ୍ତି।

ସାହାରସା ଏସପି ଲିପି ସିଂଙ୍କ ସୂଚନା ଅନୁସାରେ, ରାଜକୁମାରଙ୍କ ଗୋଡରେ ଗୁଳି ବାଜି ଥିବାବେଳେ ତାଙ୍କ ସହଯୋଗୀ ଅଲି ହାସନଙ୍କ ଅବସ୍ଥା ଗୁରୁତର ରହିଛି । ଏବଂ ସେ ଗୋଟିଏ ଘରୋଇ ଡାକ୍ତରଖାନାରେ ମୃତ୍ଯୁ ସହିତ ସଂଗ୍ରାମ କରୁଛନ୍ତି ।

ରାଜକୁମାର ସିଂଙ୍କର ସାହାରସା, ମାଧେପୁରା ଏବଂ ସୁପାଉଲରେ ତିନୋଟି ୟାମାହା ଶୋରୁମ ରହିଛି। ଶନିବାର ସକାଳ ୧୧ଟା ୩୦ରେ ସେ ତାଙ୍କ ସହଯୋଗୀ ଅଲି ହାସନଙ୍କ ସହ ସାହାରସା ସୋରୁମକୁ ଯାଉଥିବା ବେଳେ ହଠାତ୍ ସାହାରସା କଲେଜ ନିକଟ ବୈଜନାଥପୁର ଛକ ନିକଟରେ ୩ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବାବେଳେ ଏପର୍ଯ୍ୟନ୍ତ ଘଟଣାର କାରଣ ଜଣାପଡ଼ି ନାହିଁ। ତେବେ ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ଯୁ ଘଟଣାରେ କିଛି ସଂପର୍କ ଅଛି ନା ନାହିଁ ତାନେଇ ପୋଲିସ ତନାଘନା ଜାରି ରଖିଛି ।